Categories: ଜାତୀୟ

ଚାଇନା ସୀମାରେ ବଢ଼ୁଛି ଉତ୍ତେଜନା: ଆଉ ୩୫ ହଜାର ଯବାନ ମୁତୟନ ହେବେ

ନୂଆଦିଲ୍ଲୀ,୩୧ା୭:ଚାଇନା ସୀମାରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଛି। ବିବାଦର ସମାଧାନ ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ଜାରି ରହିଥିଲାବେଳେ ଭାରତ ଅତିରିକ୍ତ ୩୫ ହଜାର ଯବାନଙ୍କୁ ପୂର୍ବ ସୀମାରେ ମୁତୟନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହା ଫଳରେ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥା ବଦଳିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗତ ଜୁନ୍‌ ୧୫ରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲାବେଳେ ଚାଇନା ପଟୁ ମଧ୍ୟ କେତେଜଣ ସୈନ୍ୟ ନିହତ ହୋଇଥିଲେ। ଏହା ପରେ ଉଭୟ ଦେଶ ସୀମାକୁ ଅଧିକ ସେନା ଓ ଅସ୍ତ୍ରଶସ୍ତ୍ର, କମାଣ ଓ ଟ୍ୟାଙ୍କ ପ୍ରେରଣ କରିଥିଲେ। ଭାରତ-ଚାଇନା ସୀମା ରାଜିନାମା ଯଦି କାର୍ଯ୍ୟକାରୀ ନ ହୁଏ ତେବେ ଅଧିକ ସୈନ୍ୟ ମୁତୟନ କରିବାକୁ ପଡ଼ିବ ବୋଲି ଉକ୍ତ ଅଧିକାରୀ କହିଛନ୍ତି। ଯଦି ସର୍ବୋଚ୍ଚ ରାଜନୈତିକ ସ୍ତରରେ ଘନିଷ୍ଠତା ନ ଆସେ ତେବେ କୌଣସି ଗୋଟିଏ ପକ୍ଷ ପଠାଇଥିବା ଅତିରିକ୍ତ ସେନା ପ୍ରତ୍ୟାହାର କରିବେ ନାହିଁ ବୋଲି ୟୁନାଇଟେଡ ସର୍ଭିସ୍‌ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ମେଜର ଜେନେରାଲ ବି.କେ. ଶର୍ମା କହିଛନ୍ତି। ଯଦିଓ ସୀମାରେ ଏବେ ମୁହାଁମୁହିଁ ସ୍ଥିତି ନାହିଁ ତେବେ ବହୁପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇନାହିଁ। ଅଧିକାଂଶ ଅଞ୍ଚଳରୁ ସୈନ୍ୟ ଫେରାଇ ନେଇଥିବା ବେଜିଂ କହୁଛି। ବିବାଦର ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ପଞ୍ଚମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

Share