ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କିଛିଦିନ ହେଲା ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିବା ପରେ ସେମାନଙ୍କ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏନେଇ ଗ୍ରାମର ଏସ୍.ଚିତ୍ରସେନ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଏକ ମାମଲା(ନଂ.୪୨୫/୨୬) ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଏନେଇ ତଦନ୍ତ ଚଳାଇଥିଲେ।
ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଜରଡ଼ା ଥାନା କୋଳିହଳା ଗ୍ରାମର ରାଜେଶ୍ୱର ବାଡ଼ତ୍ୟା ଓରଫ ରାଜୁ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗ୍ରାମର ତ୍ରିନାଥ ମନ୍ଦିର ପରିସରରେ ଗତ ସୋମବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିବା ବେଳେ ପ୍ରାୟ ୫ଟି ବାଇକରେ ୧୫ନ୍ରୁ ଉଦ୍ଧର୍ବ ଯୁବକ ଆସି ବିଭିନ୍ନ ମାରଣାସ୍ତ୍ର ଧରି ଚିତ୍ରସେନ ଏବଂ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀର ସଦସ୍ୟଙ୍କୁ ଧମକ ଦେଇ ଜୁଆଖେଳ ବନ୍ଦ କରିବାକୁ କହିଥିଲେ।
ଏପରକି ଯୁବକମାନେ ଚିତ୍ରସେନ ଓ ତାଙ୍କ ସମର୍ଥକଙ୍କ ବେକରେ ଖଣ୍ଡା ଓ ଭୁଜାଲି ରଖି ପ୍ରାୟ ୧୨ ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏଠି ଜୁଆଖେଳ ହୋଇପାରିବ ନାହିଁ। ସେମାନେ ଚଳାଉଥିବା ଜୁଆଆଡ୍ଡା ହିଁ ଚାଲିବ କହି ମନ୍ଦିରର ପିତ୍ତଳରେ ନିର୍ମିତ ଦାନ ହୁଣ୍ଡିକୁ ଜବରଦସ୍ତ ନେଇଯାଇଥିଲେ।
ଏନେଇ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ସେମାନେ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଗଲାବେଳେ ଜଣେ ଯୁବକ ଏକ ସ୍କୁଟିକୁ ଛାଡି ପଳାଇଥିଲେ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୨ଟି ଖଣ୍ଡା ଓ ସ୍କୁଟିକୁ ଜବତ କରିଥିଲା। ପରେ ପୋଲିସ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢାଉ କରି ଜଣେ ଅଭିଯୁକ୍ତ ରାଜେଶ୍ୱର ଓରଫ ରାଜୁ ଙ୍କୁ ଗିରଫ କରିଥିଲା। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
ସୂଚନା ଯୋଗ୍ୟ, ଦିଗପହଣ୍ଡି ଥାନା ଅଞ୍ଚଳରେ ଏକାଧିକ ଜୁଆଆଡ୍ଡା ଚାଲିଛି। ନଦୀପଠା, ଆମ୍ବ ତୋଟା ଏବଂ ବିଭିନ୍ନ ଗ୍ରାମ ନିକଟ ପାହାଡ଼ରେ ଚାଲିଥିବା ଜୁଆଆଡ୍ଡାରେ ଜୁଆଡ଼ିିମାନେ ପହଞ୍ଚି ଜୁଆ ଖେଳୁଛନ୍ତି। ହେଲେ ନିୟୋଜିତ ଖବରୀଙ୍କଠାରୁ ପୋଲିସ ଚଢାଉ ପୂର୍ବରୁ ଫୋନକଲ ପାଇ ଜୁଆଡିମାନେ ଚମ୍ପଟ ମାରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ ପେଶାଦାର ଅପରାଧୀ ରାଜନୈତିକ ଛତ୍ରଛାୟାରେ କିଛିଦିନ ହେଲା ଏଠାକାର ଗ୍ରାମାଞ୍ଚଳଙ୍କରେ ରୀତିମତ ଜୁଆଆଡ୍ଡା ଚଳାଇଛନ୍ତି। ଗୁପ୍ତ ସୂଚନା ଅନୁସାରେ ପୋଲିସ ତତ୍କାଳ ଚଢାଉ କରୁଥିଲେ ମଧ୍ୟ ସଫଳତା ପାଉନାହିଁ। ଏହା ପଛରେ ଅନେକ ରହସ୍ୟ ରହିଛି।
ଏପରିକି କିଛି ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀଙ୍କ ଆଶୀର୍ବାଦରେ ଜୁଆଆଡ୍ଡା ପରିଚାଳନା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜୁଆଆଡ୍ଡାଗୁଡ଼ିକୁ ପଡୋଶୀ ଆନ୍ଧ୍ର, ତେଲାଙ୍ଗାନା ସମେତ ବ୍ରହ୍ମପୁର, ଚିକିଟି, ପାତ୍ରପୁର, ଆସିକା, ସୋରଡ଼ା, ଭଞ୍ଜନଗର, ଛତ୍ରପୁର ପ୍ରଭୃତି ଅଞ୍ଚଳରୁ ଜୁଆଡିମାନେ ଆସୁଥିବା ସୂଚନା ମିଳିଛି।