ବାଂଲାଦେଶର ୧୪ ମନ୍ଦିରରେ ଭଙ୍ଗାରୁଜା

ଢାକା,୬ ।୨: ବାଂଲାଦେଶରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶ ପୋଲିସ ରବିବାର କହିଛି, କେତେଜଣ ଅସାମାଜିକ ଲୋକ ବିଭିନ୍ନ ସ୍ଥାନରେ ପ୍ରାୟ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିବା ସହ ମୁର୍ତ୍ତିଗୁଡିକୁ ବି ଭାଙ୍ଗି ଦେଇଛନ୍ତି । ଠାକୁରଗାଁ ଜିଲାର ବଲିୟାଡାଂଗିରେ ହିନ୍ଦୁ ସମ୍ପ୍ରଦାୟର ନେତା ବିଦ୍ୟାନାଥ ବର୍ମନ କହିଛନ୍ତି, ଅସମାଜିକ ଗୋଷ୍ଠୀ ରାତିରେ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିବା ସହ ମୂ୍‌ର୍ତ୍ତି ଗୁଡିକୁବି ନଷ୍ଟ କରି ଦେଇଛନ୍ତି ।

ଉପଜିଲାର ପୂଜା ସମାରୋହ ପରିଷଦର ମହାସଚିବ ବର୍ମନ କହିଛନ୍ତି, କିଛି ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିବା ବେଳେ ଆଉ କିଛି ମୂର୍ତ୍ତି ନିକଟରେ ଥିବା ପୋଖରିରୁ ମିଳିଛି । ଅପରାଧିଙ୍କୁ ଏବେ ପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ଆମର ଦାବି ଯେତେଶୀଘ୍ର ଅପରାଧିଙ୍କୁ ଧରାଯାଉ ।
ହିନ୍ଦୁ ସମ୍ପ୍ରଦାୟର ନେତାଙ୍କ କହିବ କଥା ହେଲା, ଏହି ଅଞ୍ଚଳ ଧାର୍ମିକ ସଦ୍ଭାବ ଭାବେ ପରିଚିତ, ଏଠାରେ ପୂର୍ବରୁ ଏମିତି ଘଟଣା କେବେ ହୋଇନାହିଁ । ସେମାନେ କହିଛନ୍ତି ଏଠାରେ ଥିବା ମୁସଲମାନ ସମ୍ପ୍ରଦାୟ ସହ ଆମର କୌଣସି ବିବାଦ ନାହିଁ । ସେଥିପାଇଁ ଆମେ ବୁଝି ପାରୁନୁ ଏହି ଘଟଣା ପଛରେ କିଏ ସମ୍ପୃକ୍ତ ଅଛି ।

Share