Categories: ଜାତୀୟ

ବଦାଉଁ ଗଣବଳାତ୍କାର, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପୂଜାରି ଗିରଫ

ବଦାଉଁ,୮।୧- ଗତ ସପ୍ତାହରେ ଜଣେ ୫୦ ବର୍ଷୀୟା ଅଙ୍ଗନଓ୍ବାଡି କର୍ମୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ପୂଜାରି ସତ୍ୟାନନ୍ଦଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିବା ସୂଚନା ଦେଇଛନ୍ତି ବଦାଉଁ ଜିଲାର ମାଜିଷ୍ଟ୍ରେଟ୍‌ କୁମାର ପ୍ରଶାନ୍ତ। ସ୍ଥାନୀୟ ମନ୍ଦିର ପୂଜାରି ତଥା ମୁଖ୍ୟ ଅଭିଯୁକ୍ତ ତାଙ୍କର ଜଣେ ଅନୁଗତଙ୍କ ଘରେ ଲୁଚି ରହିଥିଲା। ତାଙ୍କ ବ୍ୟତୀତ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ।

ଏହି ଘଟଣାକୁ କେନ୍ଦ୍ର କରି ବିବାଦୀୟ ବୟାନ ଦେଇଛନ୍ତି ଗାଁରେ ପହଞ୍ଚିଥିବା ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)ର ସଦସ୍ୟା ଚନ୍ଦ୍ରମୁଖି ଦେବୀ। ଏହି ଅଞ୍ଚଳରେ ମହିଳାଙ୍କୁ ସନ୍ଧ୍ୟା ପରେ ଏକୁଟିଆ କିମ୍ବା ଛୁଆଁଙ୍କ ସହ ଘରୁ ବାହାରିବା ସୁରକ୍ଷିତ ନୁହେଁ ବୋଲି ଚନ୍ଦ୍ରମୁଖି କହିଛନ୍ତି। ଏହା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ କହି ବିବାଦଠାରୁ ଦୂରେଇ ରହିବାକୁ ଉଦ୍ୟମ କରୁଛନ୍ତି ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା। ସେ କାହିଁକି ଓ କ’ଣ ପାଇଁ ଏଭଳି ଦାୟିତ୍ତ୍ୱହୀନ ମନ୍ତବ୍ୟ ଦେଲେ, ମୋତେ ଜଣାନାହିଁ। କିନ୍ତୁ ଯେତେବେଳେ ଓ ଯୁଆଡ଼େ ଇଚ୍ଛା ଯିବାର ଅଧିକାର ରହିଛି ବୋଲି ରେଖା କହିଛନ୍ତି।

Share