Categories: ଜାତୀୟ

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମହମ୍ମଦ ଇସ୍ରାଏଲ ମନସୁରୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। କିନ୍ତୁ ବର୍ତ୍ତମାନ ମନ୍ଦିର କମିଟି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ବିଷ୍ଣୁପଦ ମନ୍ଦିରରେ ମନ୍ତ୍ରୀ ଇସ୍ରାଏଲ ମନସୁରୀଙ୍କ ପ୍ରବେଶ ବିବାଦ ସୃଷ୍ଟି କରିଛି। ଅଣ-ହିନ୍ଦୁମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିବା ସତ୍ତ୍ୱେ ମନସୁରୀ ମନ୍ଦିରରେ ପ୍ରବେଶ କରିବାକୁ ନେଇ କମିଟି ଆପତ୍ତି ଉଠାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଭାଜପା ବିଧାୟକ ହରିଭୂଷଣ ଠାକୁର କହିଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ଦିରରେ ପ୍ରାର୍ଥନା କରୁଥିବା ଏକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ମନ୍ତ୍ରୀ ଇସ୍ରାଏଲ ମନସୁରୀ ମଧ୍ୟ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ମନସୁରୀ କହିଛନ୍ତି, ସେ ଭାଗ୍ୟବାନ ଯେ ତାଙ୍କୁ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ମିଳିଛି।
ମନ୍ଦିର କମିଟିର ସଭାପତି ଶମ୍ଭୁ ଲାଲ ବିଠଲ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ନିଷେଧ। ଏହି ପରମ୍ପରା ଅନେକ ଦିନରୁ ଚାଲିଆସୁଛି। ସେ ଜାଣି ନ ଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ମୁସଲମାନ ମନ୍ତ୍ରୀ ଅଛନ୍ତି। ଯଦି ଆଗରୁ ଜାଣିଥାନ୍ତେ, ତେବେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଇ ନ ଥାନ୍ତେ। ଜାଣିଶୁଶି ଏଭଳି କାର୍ଯ୍ୟ କରି ସନାତନ ଧର୍ମକୁ ଆଘାତ ଦିଆଯାଇଛି।

Share