ସୁନ୍ଦରଗଡ଼ର ପର୍ଯ୍ୟଟନ ବିଭବରେ ଯୋଡ଼ି ହେଲା ମନ୍ଦିର

ସୁନ୍ଦରଗଡ଼, ୭।୧(ଡି.ଏନ.ଏ.): ସୁନ୍ଦରଗଡ଼ ସହର ଅଙ୍ଗିରାପାଟ ପାହାଡ ଉପର ସତସଙ୍ଗ ବିହାରଠାରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ନବନିର୍ମିତ ଭବ୍ୟ ଶ୍ରୀମନ୍ଦିର ଶୁଭ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ସମାରୋହରେ ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିର ତଥା ଜୟଗୁରୁ ସତସଙ୍ଗୀ କମିଟି ପକ୍ଷରୁ ବ୍ୟାପକ ଆୟୋଜନ ମଧ୍ୟରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଅବସରରେ ପ୍ରାତଃ ବେଦମାଙ୍ଗଳୀ ଏବଂ ସାହାନାଇ, ପରେ ଉଷା କୀର୍ତ୍ତନ, ପ୍ରାତଃ ନୀତି ପ୍ରାର୍ଥନା, ତାପରେ ସଦ୍‌ ଗ୍ରନ୍ଥପାଠ କରାଯାଇଥିଲା। ମନ୍ଦିର ପରିସରରେ ଶ୍ରୀଶ୍ରୀ ବଡ଼ମା ଓ ଶ୍ରୀଶ୍ରୀ ବଡ଼ଦାଙ୍କର ଶ୍ରୀବିଗ୍ରହ ଉନ୍ମୋଚନ, ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ରଠାରେ ସଙ୍ଗୀତାଞ୍ଜଳୀ, ଆଧ୍ୟାତ୍ମିକ ସମ୍ମିଳନୀ, ତାପରେ ଭଜନ କୀର୍ତ୍ତନ, ମାତୃ ସମ୍ମିଳନୀପରେ ସାରେ ସତସଙ୍ଗ ବିହାର ଠାରେ ସା ନୀତି ଓ ପ୍ରାର୍ଥନା ଏବଂ ସଦଗ୍ରନ୍ଥ ପାଠ ତାପରେ ଦର୍ଶନ ଓ ପ୍ରଣାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୦୧୮ ମସିହାରୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଭବ୍ୟ ମନ୍ଦିର ସୁନ୍ଦରଗଡ଼ର ପର୍ଯ୍ୟଟନ ବିଭବରେ ଯୋଡି ହୋଇ ଯାଇଛି। ଅଙ୍ଗିରାପାଟ ପାହାଡର ପ୍ରାକୃତିକ ସବୁଜିମା ଶୋଭାରାଜି ସହିତ ଏହି ଭବ୍ୟ ମନ୍ଦିର ସୁନ୍ଦରଗଡ଼ ସହରର ଶୋଭାରାଜିକୁ ଆହୁରି ଦ୍ବିଗୁଣିତ କରିଛି। ଏହି ପ୍ରତିଷ୍ଠା ମହୋତ୍ସବରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ସମାଗମ ହୋଇଥିଲା। ନାରୀ କଲ୍ୟାଣ କେନ୍ଦ୍ର ପ୍ରାଙ୍ଗଣରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା।