ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉପକୂଳ ଓଡ଼ିଶା ଗରମ ଓ ଗୁଳୁଗୁଳିରେ ଛଟପଟ ହେବ। ଏଥିପାଇଁ ୧୧ ଜିଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲା ଖଇରାଠାରେ ସର୍ବାଧିକ ୮୭ ମି.ମି. ବର୍ଷା ହୋଇଛି। ସେହିପରି କଟକ ଜିଲା ବାଙ୍କୀଠାରେ ୬୫ ମି.ମି., କେନ୍ଦ୍ରାପଡ଼ା ଜିଲା ଗରଦପୁରରେ ୬୪ ମି.ମି., କେନ୍ଦୁଝର ଜିଲା ଘଷିପୁରାରେ ୫୩ ମି.ମି., ନୟାଗଡ଼ ଜିଲା ରଣପୁରରେ ୪୬.୨ ମି.ମି., ପୁରୀ ଜିଲା କୃଷ୍ଣପ୍ରସାଦଠାରେ ୪୩.୫ ମି.ମି, ନିମାପଡ଼ାରେ ୪୨ ମି.ମି., ଖୋର୍ଦ୍ଧା ଜିଲା ଟାଙ୍ଗୀରେ ୪୦ ମି.ମି. ବର୍ଷା ରେକର୍ଡ ହୋଇଛି। ଶୁକ୍ରବାର ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସମୟରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବ ବୋଲି ବିଭାଗ ପୂର୍ବାନୁମାନ କରିଛି।

