କଲବଲ କରୁଛି ଗୁଳୁଗୁଳି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ତାତି ନାହିଁ। ଗୁଳୁଗୁଳି କରୁଛି ଅଣନିଃଶ୍ୱାସୀ। ଘରେ କିମ୍ବା ବାହାରେ ତ୍ରାହି ନାହିଁ। ପଙ୍ଖା କାମ ଦେଉନି। ଦେହରୁ ଗମଗମ ଝାଳ ବୋହିବା ସହ ଅସ୍ବସ୍ତିକର ପରିବେଶ ସୃଷ୍ଟି ହୋଇଛି। ଗାଁରୁ ସହର ସବୁଠି ଗରମ ଓ ଗୁଳୁଗୁଳିରେ ଲୋକେ କଲବଲ ହେଉଛନ୍ତି। ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ସେଲ୍‌ସିୟସ ରହୁଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଅସହ୍ୟ ହେଉଛି। ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହୁଛି। ଫଳରେ ସୂର୍ଯ୍ୟଙ୍କ କିରଣ ବିକିରଣ ହୋଇ ନ ପାରିବାରୁ ଗୁଳୁଗୁଳି ବଢ଼ିଯାଉଛି। ଏଭଳି ପାଗ ଆସନ୍ତା ୧୫ ତାରିଖ ଯାଏ ଜାରିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବା ବେଳେ ଏହା ଆହୁରି ବଢ଼ିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ସୋନପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ଉତ୍ତର-ପୂର୍ବ ବଙ୍ଗୋପସାଗର ମ୍ୟାନ୍‌ମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ଏହା ବାଂଲାଦେଶ ଓ ମ୍ୟାନ୍‌ମାର ଉପକୂଳ ଦେଇ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୭ କିମ୍ବା ୧୮ ତାରିଖରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି।
ଉପକୂଳରେ ତାତି କମ୍‌ ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ଯାଏ ହିଟ୍‌ଓ୍ବେଭ ଜାରିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୫.୨, ହୀରାକୁଦ ୪୪.୭, ବଲାଙ୍ଗୀର ୪୪, ସୋନପୁର ୪୪.୮, ବୌଦ୍ଧ ୪୪.୬, ସୁନ୍ଦରଗଡ଼ ୪୩.୮, ତାଳଚେର ୪୩.୨, ଭବାନୀପାଟଣା ୪୩.୬, ଟିଟିଲାଗଡ଼ ୪୩.୫, ଅନୁଗୋଳ ୪୨.୭, ବାରିପଦା ୪୨.୬ ଏବଂ କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।