ଜି.ଉଦୟଗିରି,୧୬।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ସହ ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲା ଜି.ଉଦୟଗିରି । ସରକାରୀ ତଥ୍ୟ ଅନୁସାରେ, ସମଗ୍ର ଜିଲାରେ ଦାରିଙ୍ଗବାଡ଼ି, ଫୁଲବାଣୀ ଠାରୁ ମଧ୍ୟ କମ୍ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ଜି.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡ଼ି ରେ ୯ ଡିଗ୍ରୀ ରେକର୍ଡ ହୋଇଛି । ଯାହା ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ଜି.ଉଦୟଗିରି ସହରରେ ରହିଛି ।
ସହରଠୁ କିଛି ଦୂର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୨ ଡିଗ୍ରୀ ରହୁଥିବା ନେଇ ଅନୁମାନ କରାଯାଉଛି । ପ୍ରବଳ ଶୀତ ସାଙ୍ଗକୁ ଜାଡ୍ ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି । ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ କୃଷି ଶାଖା ପକ୍ଷରୁ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି । ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିକାଶମୂଳକ ଯୋଜନା ଗୁଡ଼ିକ ଜି.ଉଦୟଗିରି ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।
ବିଶେଷକରି ସିର୍କି ଡ୍ୟାମ୍, କାକଲବାକି ଜଳ ପ୍ରପାତ, କଲିନାଯୁ ଡ୍ୟାମ୍, ମଧୁଝରି ଘାଇ, କଳିଙ୍ଗା ବଟାନିକାଲ ଗାର୍ଡେନ, କଳିଙ୍ଗା ଘାଟି, କାଲିଗାଡୁ ହିଲଟପ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୁବପିଢ଼ିଠୁ ବୟସ୍କ ପର୍ଯ୍ୟନ୍ତ ମନ ମୁଗ୍ଧ କରୁଛି । ତାସହ ସ୍ଥାନୀୟ ଅଞ୍ଚଳରେ ଥିବା କଫି ବଗିଚାକୁ ଯାତାୟତ ନିମନ୍ତେ ପକ୍କା ସଡ଼କ ନିର୍ମାଣ ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି। ସେପଟେ ଅଞ୍ଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ପ୍ରଥମ ଥର ପାଇଁ ଶୀତ ମହୋତ୍ସବର ଆୟୋଜନ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି ।

