୪୨ ଡିଗ୍ରୀ ପାର୍‌କଲା ତାତି: ଲୋକେ ଆଉଟୁପାଉଟୁ

ଅନୁଗୋଳ ଅଫିସ,୧୪ା୪: ଅନୁଗୋଳ ଜିଲାରେ ଗୁରୁବାର ପାରଦ ୪୨ ଡିଗ୍ରୀ ପାର କରିଛି। ଚଳିତବର୍ଷ ଅନୁଗୋଳରେ ଏହା ସର୍ବାଧିକ ତାପମାତ୍ରା ବୋଲି ସୂଚନା ମିଳିଛି। ଫଳରେ ଏପରି ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମ ଓ ଗୁଳୁଗୁଳିରେ ଅନୁଗୋଳବାସୀ ଆଉଟୁପାଉଟୁ ହୋଇଛନ୍ତି।
ପୂର୍ବାହ୍ନ ୮ଟାରୁ ଅନୁଗୋଳ ସହରରେ ମୁଣ୍ଡ ଫଟା ଖରା ଆରମ୍ଭ ହୋଇଯାଇଥିଲା। ଦିନ ବଢ଼ିବା ସହ ଖରାର ତେଜ ଅଧିକ ହେବାରେ ଲାଗିଥିଲା। ଏହା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ଏହାକୁ ଦେଖି ପୂର୍ବାହ୍ନ ୧୦ଟା ପରେ ସହର, ବଜାର ଓ ରାସ୍ତାରେ ଗହଳି କମି ଯାଇଥିଲା। ଅତି ଜରୁରୀ କାର୍ଯ୍ୟ ନ ଥିଲେ ଲୋକେ ବାହାରକୁ ଆସିବାକୁ ଇଚ୍ଛା କରି ନ ଥିଲେ। ଅପରାହ୍ନ ସାଢ଼େ ଗୋଟଏ ବେଳେ ତାପମାତ୍ରା ୪୨.୫ ଡିଗ୍ରୀରେ ପହଞ୍ଚିଯାଇଥିବାରୁ ସହର ଯେପରି ତତଲା ତାଓ୍ବାରେ ପରିଣତ ହୋଇଯିବା ପରି ଲୋକେ ଅନୁଭବ କରିଥିଲେ। ଏପରି ଖରାକୁ ଦେଖି ପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷକରି ମଧ୍ୟାହ୍ନରେ ଘରୁ ବାହାରକୁ ନ ବାହାରିବାକୁ ଲୋକଙ୍କୁ ସଚେତନ କରାଯାଇଛି।

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଅଂଶୁଘାତ କକ୍ଷ ଖୋଲାଯାଇଛି। ସରକାର ପ୍ରତି ମେଡିକାଲରେ ଅଂଶୁଘାତ କକ୍ଷ ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ୍‌ ୱାର୍ଡରେ ୩ଟି ବେଡ୍‌ ଓ ମହିଳା ମେଡିସିନ୍‌ ୱାର୍ଡରେ ୩ଟି ବେଡ୍‌ ବ୍ୟବସ୍ଥା କରାଯାଇଛି। ତେବେ ଗୋଟିଏ କୋଠରିରେ ଏହି ୩ଟି ଲେଖାଏ ବେଡ୍‌ ରଖାଯାଇଥିବାବେଳେ ମେଡିସିନ୍‌ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ମେଡିକାଲ ପରିଚାଳକ ଦେବାଶିଷ ଦାସ ସୂଚନା ଦେଇଛନ୍ତି।