‘ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମାରିବା ସେୟା’

ଭୁବନେଶ୍ୱର,୬ା୭(ବ୍ୟୁରୋ): କେନ୍ଦୁଝର ଜିଲା ଆନନ୍ଦପୁର ସବ୍‌ଡିଭିଜନ ହସ୍ପିଟାଲକୁ ନେଇ ବିଜେଡି ସଭ୍ୟ ଭାଗୀରଥି ସେଠୀ ନିଜ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ହସ୍ପିଟାଲରେ ଡାକ୍ତର, ଫାର୍ମାସିଷ୍ଟ ଓ ଆବଶ୍ୟକ ମେଡିକାଲ ଉପକରଣ ନ ଥିବା ନେଇ ସେ ଗଭୀର କ୍ଷୋଭପ୍ରକାଶ କରିଛନ୍ତି। ବିଧାନସଭାରେ ସେ ସ୍ବାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ରକୁ ପଦାରେ ପକାଇଛନ୍ତି। ଭାଗୀରଥି କହିଛନ୍ତି, ଆନନ୍ଦପୁର ଉପଖଣ୍ଡ ମେଡିକାଲ ଅବସ୍ଥା ଅତ୍ୟନ୍ତ ଖରାପ। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କି ଫାର୍ମାସିଷ୍ଟ ନାହାନ୍ତି। ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି। ଆବଶ୍ୟକ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ଦୀର୍ଘଦିନ ହେବ ପୂରଣ ହେଉ ନାହିଁ। ଏ ନେଇ ସରକାରୀ ଅଧିକାରୀଙ୍କୁ ଯେତେ କହିଲେ ସେମାନେ ଶୁଣୁନାହାନ୍ତି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମାରିବା ସେୟା ବୋଲି ଭାଗୀରଥି କହିଛନ୍ତି। ତୁରନ୍ତ ଖାଲି ପଦବୀ ପୂରଣ କରିବା ସହ ହସ୍ପିଟାଲକୁ ଏକ ସୁପରସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।