Categories: ଜାତୀୟ

ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍‌ଏସ୍‌ ବିଧାୟକ

ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ ସେ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ। ହୁଜୁରାବାଦ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରାଜେନ୍ଦ୍ର ଶାସକ ଟିଆର୍‌ଏସ୍‌ର ଜଣେ ବରିଷ୍ଠ ନେତା ଅଟନ୍ତି। ତେବେ ଦଳ ଛାଡ଼ିବା ନେଇ କହିଛନ୍ତି, ମୁଁ ମୋର ଇସ୍ତଫା ପତ୍ର ସିଧାସଳଖ ବାଚସ୍ପତିଙ୍କ ନିକଟେରେ ଦାଖଲ କରିବାକୁ ଚାହୁଁଥିଲି। ହେଲେ ତାଙ୍କୁ ଭେଟି ପାରିଲି ନାହିଁ। ଏଭଳି ପରିସ୍ଥିତିରେ ମୋତେ ବିଧାନସଭା ସଚିବଙ୍କ ନିକଟରେ ଇସ୍ତଫା ଦେବାକୁ ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ଇସ୍ତଫା ଦେବା ପୂର୍ବରୁ ରାଜେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କର ଅନେକ ଶୁଭେଚ୍ଛୁ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି। ହେଲେ ସେ ନିଜର ନିର୍ବାଚନମଣ୍ଡଳୀ ତଥା ତେଲେଙ୍ଗାନାବାସୀଙ୍କ ଆତ୍ମସମ୍ମାନ ପାଇଁ ଏଭଳି କରୁଛନ୍ତି। ଅପରପକ୍ଷେ ଜୁନ ୧୪ରେ ସେ ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିବାର ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି।

Share