Categories: ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେସିଆର

ବେଙ୍ଗାଲୁରୁ,୨୬।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜନତା ଦଳ(ସେକ୍ୟୁଲାର)ର ମୁଖ୍ୟ ଏଚ୍‌ଡି ଦେବେଗୌଡାଙ୍କୁ କର୍ନାଟକ ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ସହ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ। ଦେବେଗୌଡା ଓ କୁମାରସ୍ବାମୀଙ୍କ ସହ କେସିଆର ଜାତୀୟ ଏବଂ କର୍ନାଟକ ରାଜନୀତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିସହ ବୈଠକ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଅନେକ ସରକାର ଗଠନ କରାଯାଇଛି ଏବଂ ଅନେକ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି। କିନ୍ତୁ ଦେଶର ଅବସ୍ଥାରେ ଅଧିକ ପରିବର୍ତ୍ତନ ହୋଇନାହିଁ। ଜିଡିପି ତୁଳନାରେ ଭାରତଠାରୁ କମ୍‌ ଥିବା ଚାଇନା ଆଜି ୧୬ଟ୍ରିଲିୟନ ଡଲାର ଅର୍ଥନୈତିକ ଦେଶରେ ପରିଣତ ହୋଇଛି। କିନ୍ତୁ ଆମ ଦେଶରେ ୫ଟ୍ରିଲିୟନ ଡଲାରର ସ୍ବପ୍ନ ଦେଖାଉଛନ୍ତି। ଯଦି ଆମେ ଦେଶରେ ମନ ଦେଇ କାମ କରାଯାଏ ତେବେ ଆମେ ଆମେରିକା ଅପେକ୍ଷା ଏକ ବଡ଼ ଅର୍ଥନୈତିକ ଦେଶରେ ପରିଣତ ହୋଇପାରିବା। ଆମ ଦେଶରେ ଅନେକ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ ପ୍ରକୃତ କଥା ହେଉଛି ଶିଳ୍ପଗୁଡିକ ବନ୍ଦ ହେଉଛି। ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଇତିହାସରେ ପ୍ରଥମ ଥର ପାଇଁ ଦେଶର ଅର୍ଥନୀତିରେ ଏକ ବିରାଟ ହ୍ରାସ ଦେଖିବାକୁ ମିଳିଛି ବୋଲି କେସିଆର କହିଛନ୍ତି।

Share