ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଲାବାଡ଼ି । ଯେଉଁଠି ବିକାଶର ଆଲୋକ ଏବେ ବି ଅପହଞ୍ଚ। ଗାଁରେ ରହୁଛନ୍ତି ମାତ୍ର ୧୮ଟି ପରିବାର। ଧାନ ଚାଷ ହିଁ ଏମାନଙ୍କ ମୁଖ୍ୟ ଜୀବିକା। ହେଲେ ଏହି ଜୀବିକା ପାଇଁ ପ୍ରତିବର୍ଷ ପ୍ରକୃତିର ବିପଦକୁ ସାମ୍ନା କରିବାକୁ ପଡ଼ୁଛି ଗ୍ରାମବାସୀଙ୍କୁ। ବାତ୍ୟା ଆସିଲେ ପାହାଡ଼ ଧସିବାର ଭୟ, ନଦୀନାଳରେ ବଢ଼ୁଥିବା ଜଳସ୍ତର ଓ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସବୁବେଳେ ଲାଗି ରହିଛି।

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଅଧୀନରେ ରହିଛି ଏହି ତଳକିଲାବାଡ଼ି ଗ୍ରାମ। ଗାଁର ଚାରିପଟେ ବଡ଼ ବଡ଼ ପାହାଡ଼ ଓ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ପାହାଡ଼ ତଳେ ଅବସ୍ଥିତ ଏହି ଗାଁ। ଗ୍ରାମରେ ଗୋଟିଏ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ ବିଦ୍ୟୁତ ଆଲୋକ ଓ ମୋବାଇଲ ନେଟୱର୍କ ଏଠାକାର ଲୋକଙ୍କ ପାଇଁ ଏବେ ବି ସାତ ସପନ। କିଛି ସ୍ଥାନରେ ସୋଲାର ଲାଇଟ ଲାଗିଥିଲେ ମଧ୍ୟ ତାହା ଅଚଳ ହୋଇ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତଳକିଲାବାଡ଼ି ଗାଁକୁ ପହଞ୍ଚିବା ମଧ୍ୟ ସହଜ ନୁହେଁ। ସିଆଙ୍ଗବାଲି ପଞ୍ଚାୟତର ସବେରେଙ୍ଗା ଗ୍ରାମଠାରୁ ପ୍ରାୟ ୧୦ କିଲୋମିଟର ପାଦରେ ଚାଲିଲେ ଏହି ଗାଁରେ ପହଞ୍ଚି ହୁଏ। ଜରୁରୀ କାମ ନଥିଲେ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଗାଁକୁ ଯିବାକୁ ଆଗ୍ରହ ଦେଖାନ୍ତି ନାହିଁ ବୋଲି କୁହାଯାଉଛି। ପୂର୍ବରୁ ଏହି ଗ୍ରାମ ରାଇକିଆ ବ୍ଲକର କରଡ଼ା ପଞ୍ଚାୟତ ଅଧୀନରେ ରହିଥିଲା। ଗତ ପଞ୍ଚାୟତ ନିର୍ବାଚନଠାରୁ ଏହା ଦାରିଙ୍ଗବାଡ଼ି ବ୍ଲକ ଅଧୀନକୁ ଆସିଛି। ଭୋଟର ତାଲିକା ସର୍ଭେ କାର୍ଯ୍ୟ ସମୟରେ ନିଜ ସହକର୍ମୀଙ୍କ ସହ ବହୁ କଷ୍ଟରେ ଏହି ଗାଁକୁ ଯାଇ ସର୍ଭେ କରିଥିବା କହିଛନ୍ତି ବିଏଲଓ ପ୍ରିୟବ୍ରତ ପ୍ରଧାନ।

ତଳକିଲାବାଡ଼ି ଗ୍ରାମ ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଚାରିପଟେ ଥିବା ପାହାଡ଼। ପୂର୍ବରୁ ତିତଲୀ ବାତ୍ୟା ସମୟରେ ଏହି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ପାହାଡ଼ ଉପରୁ ବଡ଼ ବଡ଼ ପଥର ଖସି ଆସିଥିଲା। ତେବେ ରାସ୍ତାରେ ଥିବା ବଡ଼ ବଡ଼ ଗଛ ପଥରଗୁଡ଼ିକୁ ଅଟକାଇ ଦେବାରୁ ଗାଁ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲା। ପାହାଡ଼ରୁ ଆସୁଥିବା ପାଣିର ଗତି ମଧ୍ୟ ଅନ୍ୟ ଦିଗକୁ ବଦଳି ଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଚଳିତ ଅର୍ଣ୍ଣବ ବାତ୍ୟା ସମୟରେ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ କୌଣସି ବଡ଼ ଅଘଟଣ ଘଟିନାହିଁ। ତେବେ ଭବିଷ୍ୟତରେ ଏଭଳି ବିପଦ ଆସିଲେ ଗ୍ରାମବାସୀଙ୍କ ସୁରକ୍ଷା କିପରି ହେବ, ତାହା ଏବେ ବଡ଼ ପ୍ରଶ୍ନ।

ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷାଂଶ କୁମାର ଦାସ କହିଛନ୍ତି ଯେ ଗାଁରେ ଅଳ୍ପ ସଂଖ୍ୟକ ପରିବାର ରହୁଛନ୍ତି। ବାତ୍ୟା ସମୟରେ ଚାରିପଟେ ଥିବା ପାହାଡ଼ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି। ବୁଝାସୁଝା କରିବା ସତ୍ତ୍ୱେ ଲୋକେ ନିଜ ଗାଁ ଛାଡ଼ି ଯିବାକୁ ରାଜି ହେଉନଥିବା ସେ କହିଛନ୍ତି।

କନ୍ଧମାଳ ଓ ଗଞ୍ଜାମ ଜିଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ବିପଦପୂର୍ଣ୍ଣ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆଦିବାସୀ ଓ ବନବାସୀ ପରିବାରଙ୍କୁ ସମସ୍ତ ସୁବିଧା ଥିବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ସରକାରଙ୍କ ଯୋଜନା ଉପରେ ଆଲୋଚନା ହେଉଛି। ଏହାପୂର୍ବରୁ ୨୦୧୮ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କୁମ୍ଭାରୀପଦର ଗ୍ରାମରେ ଭୂସ୍ଖଳନ ଘଟିଥିଲା। ପରବର୍ତ୍ତୀ ସମୟରେ ବାତ୍ୟା ଓ ଲଘୁଚାପଜନିତ ବର୍ଷାରେ ବାରମ୍ବାର ଭୂସ୍ଖଳନ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରି ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ କୌଣସି କାରଣରୁ ଏହି କାର୍ଯ୍ୟ ଆଗକୁ ବଢ଼ିପାରିନଥିଲା। ଫଳରେ ଆଜି ବି ସେହି ଗ୍ରାମବାସୀ ପୂର୍ବ ସ୍ଥାନରେ ରହୁଛନ୍ତି। କେବଳ ବାତ୍ୟା ସମୟରେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ନିଆଯାଉଛି ଏବଂ ପରେ ପୁଣି ନିଜ ଗାଁକୁ ଫେରାଇ ଦିଆଯାଉଛି। ତେବେ ତଳକିଳାବାଡ଼ିର ୧୮ଟି ପରିବାରଙ୍କ ସୁରକ୍ଷା ପାଇଁ ପ୍ରଶାସନ କେବେ ଠୋସ ପଦକ୍ଷେପ ନେବ, ତାହା ଏବେ ବଡ଼ ପ୍ରଶ୍ନ। ଧାନ ଚାଷ ଓ ନିଜ ଭିଟାମାଟିକୁ ଆଧାର କରି ଜୀବନ ବିତାଉଥିବା ଏହି ଗ୍ରାମବାସୀଙ୍କୁ ବିପଦମୁକ୍ତ ଜୀବନ ଯୋଗାଇଦେବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ।

 

Dharitri – Odisha’s No.1 Odia Daily

 

Share