Categories: ଜାତୀୟ

କ୍ଷମା ମାଗିଲେ ତେଜସ୍ବୀ ଯାଦବ

ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ। ୧୫ ବର୍ଷର ଲାଲୁ-ରାବିଡି ଶାସନରେ ହୋଇଥିବା ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଜସ୍ବୀଯାଦବ ଏକ ସଭାରେ ଶ୍ରମିକଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ୧୫ ବର୍ଷର ଆରଜେଡି ଶାସନ କାଳରେ ଘଟିଥିବା କୌଣସି ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ୧୫ ବର୍ଷର ଆରଜେଡି ଶାସନ କାଳରେ ଯାହା ଘଟିଥିଲା, ସେତେବେଳେ ଆମେ ଛୋଟ ଥିଲୁ ଏବଂ ସରକାରରେ କ’ଣ ଘଟୁଛି ତାହା ଜାଣି ନ ଥିଲୁ। ତଥାପି ସରକାର ଆମର ଥିଲା। ପିତା ଲାଲୁ ପ୍ରସାଦ ଯାଦବ ଲୋକଙ୍କ ପାଇଁ କାମ କରିଥିଲେ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ୧୫ ବର୍ଷ ମଧ୍ୟରେ ଯଦି ଆମର କୌଣସିି ଅଭାବ କିମ୍ବା ଭୁଲ ଥାଏ, ତେବେ ଆମେ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରୁଛୁ। ତେଜସ୍ବୀ ଆହୁରି କହିଛନ୍ତି ଯେ ଯଦି ବିହାରର ଲୋକମାନେ ତାଙ୍କୁ ଆଉ ଏକ ସୁଯୋଗ ଦିଅନ୍ତି, ତେବେ ସେ ସେମାନଙ୍କ ସବୁ ସ୍ବପ୍ନ ପୂରଣ କରିବେ। ବିହାରର ଲୋକଙ୍କୁ ନିବେଦନ କରି କହିଛନ୍ତି ଯଦି ଲୋକେ ଗୋଟିଏ ପାଦ ଆଗକୁ ଯାଆନ୍ତି, ତେବେ ସେ ନିଜେ ଚାରି ପାଦ ଆଗକୁ ବଢିବାକୁ ପ୍ରସ୍ତୁତ।

Share