Categories: ଜାତୀୟ

ବନ୍ୟାବେଳେ ଦୋସା ଭିଡିଓ କରି ତେଜସ୍ବୀ ସୂର୍ଯ୍ୟା ହଟହଟା

ବେଙ୍ଗାଲୁରୁ,୮ା୯: ଲଗାଣ ବର୍ଷାରେ କର୍ନାଟକର ବେଙ୍ଗାଲୁରୁ ଉବୁଟୁବୁ ହେଉଥିବାବେଳେ ସ୍ଥାନୀୟ ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଦୋସା ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ବେଙ୍ଗାଲୁରୁ ସାଉଥ୍‌ ଆସନର ଭାଜପା ଏମ୍‌ପି ତଥା ଦଳର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ପଦ୍ମନାଭ ନଗରରେ ବଟର୍‌ ମସାଲା ଦୋସା ଓ ଉପମା ଖାଇ ସୁସ୍ବାଦୁ ବ୍ୟଞ୍ଜନର ପ୍ରଶଂସା କରିଛନ୍ତି। ଲୋକେ ସେଠାକୁ ଯାଇ ଏହି ଖାଦ୍ୟର ମଜା ନିଅନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି। ୪୦ ସେକେଣ୍ଡ୍‌ର ଏହି ଭିଡଓ ଭାଇରାଲ ହେବା ପରେ ଟୁଇଟର୍‌ରେ ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ସୋସିଆଲ ମିଡିଆ କୋଅର୍ଡିନେଟର ଲାବଣ୍ୟ ବଲ୍ଲାଲ କହିଛନ୍ତି, ଏହି ଭିଡିଓ ସେପ୍ଟେମ୍ବର ୫ର, ଯେତେବେଳେ କି ସମ୍ପୂର୍ଣ୍ଣ ସହର ବନ୍ୟାପାଣିରେ ବୁଡ଼ି ରହିଥିଲା। ଲୋକଙ୍କ ସୁବିଧା କରିବା ପରିବର୍ତ୍ତେ ସେ ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରିବା ଦୁର୍ଭାଗ୍ୟଜନକ। ସେହିପରି ଆଉ କେତେଜଣ ୟୁଜର୍ସ ‘ସୂର୍ଯ୍ୟା ମିସିଂ’ ବୋଲି ଟୁଇଟ୍‌ କରିଛନ୍ତି।

Share