Categories: ଜାତୀୟ

ପାକ୍‌ ସୀମାରେ ତେଜସ୍‌

ନୂଆଦିଲ୍ଲୀ, ୧୯ା୮ : ଚାଇନା ସହ ସୀମା ବିବାଦ ଜାରି ରହିଥିବାବେଳେ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଲ୍‌ସିଏ ତେଜସ୍‌ ଲଢ଼ୁଆ ବିମାନକୁ ମୁତୟନ କରାଯାଇଛି। ଲଦାଖ ପ୍ରସଙ୍ଗକୁ ନେଇ ଚାଇନା ସହ ବିବାଦର ସମାଧାନ ହୋଇ ନ ଥିବାବେଳେ ପଶ୍ଚିମାଞ୍ଚଳ ସୀମା ଉପରେ ସତର୍କ ଦୃଷ୍ଟି ରଖିବା ଲାଗି ବାୟୁସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍‌ ଲଢ଼ୁଆ ବିମାନକୁ ପ୍ରଶଂସା କରିଥିଲେ। ସୀମା ବିବାଦକୁ ନେଇ ସୁରକ୍ଷା ଦୃଷ୍ଟିରୁ ୮୩ ମାର୍କ ୧ଏ ବିମାନ କ୍ରୟ ଲାଗି ପ୍ରକ୍ରିୟା ଜାରି ରହିଥିବା ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର୍‌କେଏସ୍‌ ଭଦୌରିଆ କହିଥିଲେ। ସୀମାରେ ଚାଇନାର ମତିଗତିକୁ ଲକ୍ଷ୍ୟ କରି ପ୍ରତିରକ୍ଷା ଶକ୍ତିବୃଦ୍ଧି ଲାଗି ଅଧିକ ଗୁରୁତ୍ୱ ଦିଆଯାଉଛି ଓ ପାକିସ୍ତାନ ସୀମା ପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରାଯାଉଥିବା ଏଥିରୁ ସ୍ପଷ୍ଟ ଅନୁମେୟ। ଦୈନିକ ୨୪ ଘଣ୍ଟା ସୀମା ପ୍ରତି ନଜର ରଖାଯାଇଥିବା ପ୍ରକାଶ।

Share