Categories: ଜାତୀୟ

ତେଜସ୍ବୀଙ୍କ ନୂଆ ନିର୍ଦ୍ଦେଶ, କେହି କିଣିବେନି ଗାଡ଼ି-ପାଦ ଛୁଇଁବାକୁ ମନା…

ପାଟନା,୨୦।୮ : ବିହାରରେ ଗଠିତ ନୂତନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ବିଭାଗର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ତାଙ୍କ ଦଳର କୋଟା ମନ୍ତ୍ରୀମାନଙ୍କ ପାଇଁ ୬ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ତେଜସ୍ବୀ କହିଛନ୍ତି। ସେଥିମଧ୍ୟରେ ନୂଆ ଗାଡ଼ କିଣିବା ଉପରେ ନିଷେଧାଦେଶ ଜାରି ହୋଇଛି। ଏହା ସହିତ ସଚ୍ଚୋଟତା, ସ୍ବଚ୍ଛତା, ତ୍ୱରିତତା ଏବଂ କାର୍ଯ୍ୟକାରିତା ଆଦିକୁ ପାଳନ କରିବାକୁ ସେ ମନ୍ତ୍ରୀ ମାନଙ୍କୁ କହିଛନ୍ତି।

ସରକାରରେ ରାଷ୍ଟ୍ରୀୟ ଜନତା ଦଳ କୋଟାରୁ ହୋଇଥିବା ମନ୍ତ୍ରୀମାନେ ବିଭାଗରେ ନିଜ ପାଇଁ କୌଣସି ନୂତନ ଯାନ କିଣିବେ ନାହିଁ।
ସେହିପରି ମନ୍ତ୍ରୀମାନେ ଶ୍ରମିକ, ଶୁଭେଚ୍ଛୁ, ସମର୍ଥକ କିମ୍ବା ତାଙ୍କଠାରୁ ବୟସ୍କ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପାଦ ଛୁଇଁବାକୁ ଦେବେ ନାହିଁ। ସୌଜନ୍ୟ ଏବଂ ଅଭିବାଦନ ପାଇଁ ନମସ୍କାର ପରମ୍ପରାକୁ ପ୍ରୋତ୍ସାହିତ କରାଯିବ ବୋଲି ତେଜସ୍ବୀ କହିଛନ୍ତି।

 

ସମସ୍ତ ମନ୍ତ୍ରୀଙ୍କୁ ସମସ୍ତଙ୍କ ସହ ଭଦ୍ର ଏବଂ ସୌଜନ୍ୟମୂଳକ ଆଚରଣ କରିବାକୁ ଅନୁରୋଧ କରାଯାଇଛି ଏବଂ ବାର୍ତ୍ତାଳାପ ସକରାତ୍ମକ ହେବା ଉଚିତ ବୋଲି କୁହାଯାଇଛି। ସରଳତା ସହିତ କାର୍ଯ୍ୟ କରିବାବେଳେ, ସମସ୍ତ ଜାତି / ଧର୍ମର ଗରିବ ଏବଂ ଅଭାବୀ ଲୋକଙ୍କୁ ବିଳମ୍ବ ନକରି ପ୍ରାଥମିକତା ଭିତ୍ତିରେ ସାହାଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉପହାର ସ୍ବରୂପ ଫୁଲ ତୋଡ଼ ଦେବା ପରିବର୍ତ୍ତେ, ପୁସ୍ତକ-କଲମ ଆଦାନ ପ୍ରଦାନକୁ ଉତ୍ସାହିତ କରାଯିବ। ସମସ୍ତ ବିଭାଗୀୟ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସଚ୍ଚୋଟତା, ସୱଚ୍ଛତା, ତ୍ୱରିତତା ଏବଂ ତୁରନ୍ତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରାଯିବ।

ସମସ୍ତ ମନ୍ତ୍ରୀ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ବିହାର ସରକାର ଏବଂ ସେମାନଙ୍କ ଅଧୀନରେ ଥିବା ବିଭାଗ, କାର୍ଯ୍ୟ ଯୋଜନା ଏବଂ ବିକାଶ କାର୍ଯ୍ୟ ସୋସିଆଲ ମିଡିଆରେ ପ୍ରଚାର କରିବେ ଯାହା ଦ୍ୱାରା ଜନସାଧାରଣ ମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପ ବିଷୟରେ ସକାରାତ୍ମକ ସୂଚନା ପାଇପାରିବେ। ତେଜସ୍ବୀଙ୍କ ଏଭଳି ନିର୍ଦ୍ଦେଶ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share