ସୁଶାନ୍ତଙ୍କ ନାମରେ ହେଉ ବିହାରରେ ନିର୍ମାଣ ହେଉଥିବା ଫିଲ୍ମସିଟି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ତାଙ୍କର ନିଧନ ପ୍ରଶଂସକଙ୍କୁ ମର୍ମାହତ କରିଛି। ସବୁଦିନ ପାଇଁ ତାଙ୍କ ସ୍ମୃତିକୁ ମନେ ପକାଇବାକୁ ତାଙ୍କ ଟିମ୍‌ ଏକ ଓ୍ବେବ୍‌ସାଇଟ୍‌ କରିଛି। ଏପରିକି ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟକୁ ମେମୋରଲାଟାଇଜ୍ଡ କରାଯାଇସାରିଛି।

ଏବେ ଆର୍‌ଜେଡି ନେତା ତେଜସ୍ବି ଯାଦବ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ରାଜଗୀରରେ ନିର୍ମାଣ ହେଉଥିବା ଫିଲ୍ମ ସିଟିକୁ ସୁଶାନ୍ତଙ୍କ ନାମରେ ନାମକରଣ କରିବାକୁ ସେ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି। ଖୁବ୍‌ କମ୍‌ ସମୟରେ ବିହାରର ପୁଅ ଭାବେ ସେ ନାମ କମାଇଥିବା କହିଛନ୍ତି।

କହିରଖୁଛୁ, ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ପାଇଁ ଏକ ଫାଉଣ୍ଡେଶନ କରାଯାଉଛି। ଏଥିରେ ବିଜ୍ଞାନ, କଳା, ସିନେମା, ଖେଳ ଜଗତକୁ ଆସିବାକୁ ଚାହୁଁଥିବା ପ୍ରତିଭାଙ୍କୁ ସହଯୋଗ କରାଯିବ। ଏହାଛଡ଼ା ତାଙ୍କର ଏକ ଘରକୁ ସ୍ମୃତିସ୍ଥଳ କରାଯିବ। ସେଠାରେ ତାଙ୍କର ସମସ୍ତ ବ୍ୟକ୍ତିଗତ ସାମଗ୍ରୀକୁ ରଖାଯିବ ବୋଲି ଜଣାପଡ଼ିଛି।

Share