Categories: ଜାତୀୟ

ନୀତୀଶଙ୍କ ଆଶୀର୍ବାଦ ତେଜସ୍ବୀ ଭବଃ

ପାଟନା,୧୦।୮: ଜେଡିୟୁ ନେତା ନୀତୀଶ କୁମାର ବୁଧବାର ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତେଜସ୍ବୀ ଯାଦବ ମଧ୍ୟ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନ ରାଜଭବନରେ ୨ଜଣ ନେତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ରାବ୍ରୀ ଦେବୀ, ତେଜପ୍ରତାପ ଯାଦବ ଓ ତେଜସ୍ବୀଙ୍କ ସ୍ତ୍ରୀ ରାଜଶ୍ରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଶପଥ ନେବା ପରେ ତେଜସ୍ବୀ ନୀତୀଶଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ୨୨ବର୍ଷରେ ଏହା ହେଉଛି ୮ମ ଥର ଯେଉଁଥିରେ ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୦୦ରେ ସେ ପ୍ରଥମ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ମଧ୍ୟ ନୀତୀଶ ମୁଖ୍ୟମନ୍ତ୍ରୀ ଓ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୭ରେ ନୀତୀଶ ମହାମେଣ୍ଟ ଛାଡ଼ି ଏନ୍‌ଡିଏରେ ଯୋଗଦେଇଥିଲେ।

Share