Categories: ଜାତୀୟ

ତେଜ ପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢିବେ ଐଶ୍ୱର୍ଯ୍ୟା !

ପାଟନା,୨୧।୮: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ତଥା ତେଜ ପ୍ରତାପ ଯାଦବଙ୍କ ଶ୍ୱଶୁର ବିଧାୟକ ଚନ୍ଦ୍ରିକା ରାୟ ଗୁରୁବାର ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ ସାମିଲ ହୋଇଛନ୍ତି। ଏବେ ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନୁମାନ କରାଯାଉଛି କି ଚନ୍ଦ୍ରିକା ରାୟଙ୍କ ଝିଅ ତଥା ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରର୍ଥୀ ହୋଇପାରନ୍ତି। ଜେଡିୟୁରେ ସାମିଲ ହେବା ପରେ ଚନ୍ଦ୍ରିକାଙ୍କୁ ପରସା ବିଧାନସଭା ଆସନରୁ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି। କାରଣ ଏବେ ସେ ସେହି ଆସନରୁ ବିଧାୟକ ଅଛନ୍ତି ଓ ସେଠାରେ ସେ ୭ ଥର ବିଜୟ ଲାଭ କରିଛନ୍ତି। ତେବେ ଚନ୍ଦ୍ରିକା ଜେଡିୟୁରେ ସାମିଲ ହେବା ପରେ ଇଙ୍ଗିତ ଦେଇ କହିଥିଲେ କି ତାଙ୍କ ଝିଅ ତଥା ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ମହୁଆ ବିଧାନସଭା ଆସନରୁ ତେଜ ପ୍ରତାପଙ୍କ ବିରୋଧରେ ଲଢିପାରନ୍ତି। ସୂଚନାଯୋଗ୍ୟ, ତେଜପ୍ରତାପ ଏବେ ମହୁଆ ବିଧାନସଭା ଆସନରୁ ବିଧାୟକ ଥିବା ବେଳେ, ଗତ କିଛିମାସ ହେବ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାକୁ ଯେଉଁଭଳି ବ୍ୟବହାର କରିଛନ୍ତି ଏହି ରାଗରେ ଐଶ୍ୱର୍ଯ୍ୟା ଏଥର ତାଙ୍କ ବିରୋଧରେ ନିର୍ବାଚନ ଲଢି ପାରନ୍ତି।

Share