Categories: ଜାତୀୟ

ଲାଲୁଙ୍କ ଜନ୍ମଦିନରେ ତେଜ ପ୍ରତାପ ଦେବେ ବିଶେଷ ଉପହାର, ଗରିବଙ୍କୁ ଖାଦ୍ୟ ବାଣ୍ଟିବ ଦଳ

ପାଟନା,୧୦ ।୬: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଜୁନ ୧୧ରେ ପାଳନ ହେବାକୁ ଯାଉଛି ୭୫ ତମ ଜନ୍ମଦିନ । ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯୋଜନା କରାଯାଇଛି । ଦଳ ଏହି ଦିନକୁ ସାମଜିକ ନ୍ୟାୟ ଏବଂ ସଦ୍‌ଭାବନା ଦିବସ ଭାବେ ପାଳନ କରିବ । ଅନ୍ୟପଟେ ବିଧାୟକ ତଥା ଲାଲୁଙ୍କ ପୁଅ ତେଜପ୍ରତାପ ଏହିଦିନ ଲାଲୁ ପାଠଶାଳାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଇଣ୍ଟରନେଟ ମିଡିଆ ମାଧ୍ୟମରେ ତେଜ ପ୍ରତାପ ଏହା କହିଛନ୍ତି । ଟୁଇଟର ମାଧ୍ୟମରେ ଜଣାଇଛନ୍ତି ବି ସୋନୁଙ୍କଠାରୁ ସେ ପ୍ରେରଣା ପାଇ ଲାଲୁ ପାଠଶଳା ଆରମ୍ଭ କରିବାକୁ ଯାଉଛନ୍ତି । ବିହାରର ବିଗିଡିଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ଦେଖି ସୋନୁଙ୍କ ଭଳି ଆଉ ଯେମିତି କୌଣସି ପିଲା ପାଠପଢାରୁ ବଞ୍ଚିତ ନ ହେବେ ତାକୁ ଦୃଷ୍ଟିରେ ରଖି ସେ ଏହା ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ତେଜ ପ୍ରତାପ ଲାଲୁ ରୋଷେଇ ବି ଆରମ୍ଭ କରି ସାରିଛନ୍ତି ।
ତେବେ ଲାଲୁଙ୍କ ଜନ୍ମଦିନ ଅର୍ଥାତ୍ ଜୁନ ୧୧ରେ ଆରଜେଡି ପ୍ରତି ଗାଁ ଓ ସହରରେ ଗରିବଙ୍କୁ ଖାଦ୍ୟ ଦେବାକୁ ଯୋଜନା କରିବା ସହ ଏହି ଦିନକୁ ସାମିଜିକ ନ୍ୟାୟ ଓ ସଦ୍‌ଭାବନା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

Share