ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ନିରନ୍ତର ସାମୁହିକ ପ୍ରୟାସ ଯୋଗୁ ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲା ବିଶେଷ ସଫଳତା ହାସଲ କରିପାରିଛି। ଏବେ ଜିଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ପରାହତ କରିବାର ସମୟ ଆସିଛି ବୋଲି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ କହିବା ସହିତ କିଶୋରୀ ଓ କିଶୋର ଉଭୟଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ପୋଷଣ ଆଦି ସମସ୍ତ କ୍ଷେତ୍ରରେ ସମାନ ଦୃଷ୍ଟିରେ ଦେଖିବା ପାଇଁ ଜିଲାବାସୀଙ୍କୁ ସେ ଅନୁରୋଧ କରିଛନ୍ତି। ବୈଷୟିକ ଜ୍ଞାନକୌଶଳର ସହାୟତା ନେଇ ଜିଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ୩୬୦ ଆପ୍କୁ ଆରମ୍ଭ କରାଯାଇଛି । ଏବେ ଏହି ଆପ୍ରେ ଏକ ଜରୁରିକାଳୀନ ବଟମ/ବ୍ୟବସ୍ଥା ରହିବ ତାକୁ ବ୍ୟବହାର କରି ଲୋକମାନେ ନିଜ ପରିଚୟ ଗୁପ୍ତ ରଖି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଇପାରିବେ। ଏହି ସୁବିଧାକୁ ଆଗାମୀ ୧୫ଦିନ ମଧ୍ୟରେ ଆରମ୍ଭ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏହା ସହିତ ସଚେତନତା ବୃଦ୍ଧିକରି ସମାଜକୁ ଅଧିକ ସଶକ୍ତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଜିଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ଗୁରୁବାର ଜିଲାପରିଷଦର ଜଉଗଡ଼ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ା ଉନ୍ମୋଚନ କରାଯାଇଛି। ନିର୍ଭୟ କଢି, ଅଦ୍ବିକା ଭଳି ଯୋଜନା ଜିଲାରେ ବିଶେଷ ସଫଳତା ହାସଲ କରିପାରିଛି। କିଶୋରୀ ସଶକ୍ତିକରଣ ତା’ ସହିତ ବାଲ୍ୟ ବିବାହ ଜିଲାରୁ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଜନସଚେତନତାକୁ ବିଶେଷକରି ଗ୍ରାମାଞ୍ଚଳରେ ଆହୁରି ଅଧିକ ପରିବ୍ୟାପ୍ତ କରିବାକୁ ପଡ଼ିବ ବୋଲି ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ କହିଛନ୍ତି । ଗଞ୍ଜାମ ଜିଲାକୁ ଜୀବିକା ଅନ୍ବେଷଣରେ ମାତାପିତାଙ୍କ ସହିତ ଆସୁଥିବା ଶିଶୁମାନେ ମଧ୍ୟ ସ୍ଥାନୀୟ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାଠ ପଢି ପାରିବେ। ଏ କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ବୁଗୁଡ଼ା, ୟୁନିସେଫ୍ର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟଲକ୍ଷ୍ମୀ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ରାଜଶ୍ରୀ ଦାଶ, ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସୋରେନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ମାନଙ୍କ ସାମ୍ବିଧାନିକ ଅଧିକାର, ସରକାରୀ ଯୋଜନାର ସୁବିଧା ସୁଯୋଗ, ୧୦୯୮/୧୮୧ ଟୋଲ ଫ୍ରି ନମ୍ବରର ବ୍ୟବହାର, ସାଇବର ସୁରକ୍ଷା ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ।
ଏହି ୨୦୨୬-୨୦୨୯ କାର୍ଯ୍ୟ ଖସ ନିର୍ଭୟ କଢି, ଅଦ୍ବିକା, ମୋ ଗେଲ୍ହା ଝିଅ, ବିଦ୍ୟାଳୟକୁ ହଁ – ବାଲ୍ୟ ବିବାହକୁ ନା, ଆର୍ଥିକ ସହାୟତାର ପ୍ରାବଧାନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ, ଆଗାମୀ ଦିନର ପଦକ୍ଷେପ, ଆଗାମୀ ପ୍ରଶିକ୍ଷଣ, ସରକାରୀ – ବେସରକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ଆଦି ବିଷୟରେ ଉଲ୍ଲେଖ କରାଯାଇଛି। କାର୍ଯ୍ୟକ୍ରମରେ ଜିଲାସ୍ତରୀୟ ଅଧିକାରୀ, ସିଡିପିଓ, ଏନ୍ଜିଓର କର୍ମକର୍ତ୍ତା, ଶିଶୁ ମଙ୍ଗଳ ସମିତି, ଡି.ଏଚ୍.ଇ.ଡବ୍ଲ୍ୟୁ.ର କର୍ମକର୍ତ୍ତା ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ। ୟୁନିସେଫ୍ର ଜିଲା ସଂଯୋଜକ ଦେବବ୍ରତ ମାହୁନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।