ଓଏସ୍‌ଆର୍‌ଟିସିକୁ ଟେକ୍ନୋଲୋଜି ସଭା ପୁରସ୍କାର

ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ସମ୍ମାନଜନକ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଟେକ୍ନୋଲୋଜି ସଭା ପୁରସ୍କାର-୨୦୨୦ ହାସଲ କରିଛି। ପରିଚାଳନା ଓ ଦକ୍ଷତାରେ ଉନ୍ନତି ପାଇଁ ଡିପୋ ମ୍ୟାନେଜମେଣ୍ଟ ସିଷ୍ଟମରେ ଆଇଟି ବ୍ୟବହାର ଯୋଗୁ ଏହି ସଫଳତା ମିଳିଛି। ମୁଖ୍ୟତଃ ଏହି ଟେକ୍ନୋଲୋଜି ଦ୍ୱାରା ଓଏସ୍‌ଆର୍‌ଟିସି ଦୈନିକ ତଥା ମାସିକ ଭାବେ ଆୟ, ବ୍ୟୟ, ଯାତ୍ରୀ ଓ ଲଗେଜ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥାଏ। ଏଥିସହ ଯାତ୍ରା ବାତିଲ, ଆଗମନ ଏବଂ ଗସ୍ତରେ ବିଳମ୍ବ ସହ ରିପୋର୍ଟ ପ୍ରଦାନ, ବିଶ୍ଳେଷଣ ଓ ଦୁର୍ଘଟଣା ବିବରଣୀ ମଧ୍ୟ ଉପସ୍ଥାପନ କରିଥାଏ। ବର୍ତ୍ତମାନ ଓଡ଼ିଶାରେ ଓଏସ୍‌ଆର୍‌ଟିସିର ୨୩ଟି ବସ୍‌ ଡିପୋ ରହିଛି। ଯାହାକୁ ପରିଚାଳନା କରିବା ଓଏସ୍‌ଆର୍‌ଟିସି ପାଇଁ ଏକ ବଡ଼ ଆହ୍ବାନ। ଏବେ ସମସ୍ତ ଡିପୋରେ ଏହି ଟେକ୍ନୋଲୋଜି ଉପଯୋଗ କରିବା ପାଇଁ ଆମେ ଚେଷ୍ଟିତ ବୋଲି ଓଏସ୍‌ଆର୍‌ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ଉଲ୍ଲେଖଯୋଗ୍ୟ, କୌଣସି ସରକାରୀ ବିଭାଗକୁ ଭାରତୀୟ ଏକ୍ସପ୍ରେସ୍‌ ଟେକ୍ନୋଲୋଜି ସଭା ପୁରସ୍କାର ପ୍ରଦାନ କରାଯାଏ। ଉକ୍ତ ବିଭାଗ ଏକ ନିର୍ଦ୍ଦିଷ୍ଟ ଟେକ୍ନୋଲୋଜିିର ପ୍ରୟୋଗ କରି ହିତାଧିକାରୀଙ୍କ ପାଇଁ ବ୍ୟବହାର କରିଥାଏ। ଏହି କ୍ଷେତ୍ରରେ ଓଏସ୍‌ଆର୍‌ଟିସି ଚଳିତ ବର୍ଷ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଉକ୍ତ ପୁରସ୍କାର ହାତେଇଥିବା ଜଣାପଡ଼ିଛି।