ମୋହନା,୨୦ା୧୧(ମନ୍ମଥ ମିଶ୍ର)-ଗଜପତି ଜିଲା ମୋହନା ରାଜ୍ୟର ଦ୍ୱିତୀୟ ବୃହତ୍ତମ ବ୍ଲକ ରୂପେ ପରିଚିତ। ଏଠାରେ ସ୍ବାସ୍ଥ୍ୟସେବା ପାଇଁ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ବ୍ଲକରେ ୩୯ଟି ପଞ୍ଚାୟତ ସମେତ କନ୍ଧମାଳ ଜିଲାର କେତେକ ପଞ୍ଚାୟତ ଅଞ୍ଚଳର ରୋଗୀ ନିର୍ଭର କରିଥାନ୍ତି। ଏଠାରେ ରୋଗୀଙ୍କ ପାଇଁ ଏକ୍ସରେ ମେଶିନ ରହିଛି। ମାତ୍ର ତାହା କାମରେ ଲଗୁନି। ଏଥିପାଇଁ ରୋଗୀ ବାହାରେ ଏକ୍ସରେ କରି ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ବ୍ରାହ୍ମଣୀ ଗାଁର ଅଶୋକ ସିଂ ତାଙ୍କ ଝିଅ ସୁଜ୍ଞାନୀ ସିଂ(୧୪)ଙ୍କ ମେରୁଦଣ୍ଡ ହାଡ଼ ଯନ୍ତ୍ରଣା ହେବାରୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ଝିଅର ମେରୁଦଣ୍ଡ ଏକ୍ସରେ କରିବା ପାଇଁ ଲେଖିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେଶିନ ଥିଲେ ମଧ୍ୟ ଏହାକୁ ଚଳାଇବାକୁ ରହିଥିବା ଟେକନିସଆନ ଏହା ପୁରୁଣା ମେଶିନ, ଫୋଟ ଭଲ ଆସିବନାହଁ କହି ଅଶୋକଙ୍କୁ ଫେରାଇ ଦେଇଥିଲେ। ସେ ବାଧ୍ୟ ହୋଇ ବାହାର କ୍ଲିନିକରେ ଏକ୍ସରେ କରିଥିଲେ। କେବଳ ଅଶୋକ ନୁହନ୍ତି ଦୂରଦରାନ୍ତରରୁ ଆସୁଥିବା ଏପରି ଅନେକ ରୋଗୀ ବାହାର କ୍ଲିନିକରେ ଏକ୍ସରେ କରି ଅଧିକ ଖର୍ଚ୍ଚନ୍ତ ହେଉଛନ୍ତି।
ପ୍ରକୃତରେ ଏକ୍ସରେ ମେଶିନ ପୁରୁଣା ନା ଟେକନିସିଆନ କାମ ବିଷୟରେ ଅନଭିଜ୍ଞ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମୁବାରକ ଅଲ୍ଲିଙ୍କୁ ପଚରବାରୁ ସେ କହିଲେ, ସେ ଏହାର ତଦନ୍ତ କରିବେ। ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। କାର୍ଯ୍ୟରତଏକ୍ସରେ ଟେକନିସିଅନ ଅଳକା କୁମାରୀ ପାଢ଼ୀଙ୍କୁ ପଚ଼ାରିବାରୁ ସେ କହିଲେ, ଏକ୍ସରେ ମେଶିନଟି ପୁରୁଣା ହେତୁ ଠିକ ଭାବେ ମେରୁଦଣ୍ଡ ଫଟୋ ଆସୁନଥିବା କହିଛନ୍ତି।


