Categories: ଜାତୀୟ

ଲୁହ ହେବନି ବେକାର, ଗୁଲାମନବୀଙ୍କୁ ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୨: କଂଗ୍ରେସର ରାଜ ସଭା ଏମ୍‌ପି ଗୁଲାମ ନବୀ ଆଜାଦ୍‌ଙ୍କୁ ବିଦାୟ ଦେବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରେ ଲୁହ ଆସିବା ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେହିପରି ଗୁଲାମ ନବୀ ଲୁହ ପୋଛିବା ବି ତାଙ୍କ ଭବିଷ୍ୟତର ନୂଆ ଅକୁହା କଥାକୁ ସୂଚିତ କରିଥିବା କୁହାଯାଉଛି। ୭୧ ବର୍ଷ ବୟସ୍କ ଜମ୍ମୁ-କଶ୍ମୀର ବରିଷ୍ଠ ନେତା ଗୁଲାମ ନବୀ ଭାଜପାର ବିପରୀତ ବିଚାରଧାରା ରଖିରେ ବି ରାଜ୍ୟ ସଭାରେ ତାଙ୍କୁ ମୋଦି ସାଲ୍ୟୁଟ କରିବା ଏକ ନୂଆ ସଙ୍କେତ ଦେଇଛି। ଜମ୍ମୁ-କଶ୍ମୀରରେ ଡିଡିସି ନିର୍ବାଚନରେ ଗୁଲାମ ନବୀଙ୍କ ଭୂମିକାକୁ ମୋଦି ପ୍ରଶଂସା ମଧ୍ୟ କରିଛନ୍ତି। ରାଜ୍ୟରେ ଭାଜପାର ସ୍ଥିତି ସୃଦୃଢ଼ ରହିଛି। ତେବେ ସେଠାରେ ଭାଜପାର କୌଣସି ପ୍ରଭାବଶାଳୀ ନେତା ନାହାନ୍ତି। ତେଣୁ ହୁଏତ ଆଜାଦ୍‌ଙ୍କୁ ଏନ୍‌ଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ନଚେତ ରାଜ୍ୟପାଳ କିମ୍ବା ଜମ୍ମୁ-କଶ୍ମୀରରେ ବଡ଼ ଭୂମିକା ପ୍ରଦାନ କରାଯିବାର ଆଶା ନେଇ ରାଜନୈତିକ ମହଲରେ ଆଲୋଚିତ ହେଉଛି। ଗୁଲାମ ନବୀ ରାଜ୍ୟ ସଭାରେ ୨୮ ବର୍ଷ ରହିଛନ୍ତି। ତାଙ୍କର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ ହେଉଛି। ତାଙ୍କୁ କିଛି ଗୁରୁଦାୟିତ୍ୱ ଦେବା ଲାଗି ମୋଦି ପକ୍ଷରୁ ଯୋଜନା କରାଯାଉଛି ବୋଲି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Share