ସିରାଜଙ୍କ ଆଖିରେ ଲୁହ! ପୂର୍ବତନ କ୍ରିକେଟର୍‌ ଉଠାଇଲେ ବଡ଼ ପ୍ରଶ୍ନ

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚରେ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିନାହିଁ। ତାଙ୍କ ବଦଳରେ ଯୁବ ଦ୍ରୁତ ବୋଲର ଗୁରନୂର ବରାର ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଛନ୍ତି।

ପ୍ରଥମ ଟେଷ୍ଟରେ ମଧ୍ୟ ସିରାଜଙ୍କୁ ଖେଳାଯାଇ ନଥିବାରୁ ବିବାଦ ଦେଖାଦେଇଥିଲା। ତେବେ ଦଳ ପରିଚାଳନା କମିଟି ବାହାରର ସମାଲୋଚନାକୁ ଗୁରୁତ୍ୱ ନଦେଇ ଦ୍ୱିତୀୟ ଟେଷ୍ଟରେ କେବଳ ଗୋଟିଏ ପରିବର୍ତ୍ତନ କରିଛି। ଚଳିତ ୱାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ ଚକ୍ରରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିବା ସିରାଜଙ୍କୁ ଦଳରୁ ବାଦ ଦିଆଯିବା ଘଟଣା ଏବେ ଚର୍ଚ୍ଚାରେ ରହିଛି।

ସିରାଜ ଟେଷ୍ଟ ଡେବ୍ୟୁ କରିବା ପରେ ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ହୋଇଛି, ଯେତେବେଳେ ସେ କୌଣସି ଟେଷ୍ଟ ସିରିଜ୍‌ର ଗୋଟିଏ ମ୍ୟାଚ ମଧ୍ୟ ଖେଳିନାହାନ୍ତି। ଟସ ପରେ ପ୍ରସାରଣ ସମୟରେ ସିରାଜଙ୍କୁ ଚଷମା ପିନ୍ଧି ପଡ଼ିଆରେ ବୁଲୁଥିବା ଦେଖାଯାଇଥିଲା। ଏହି ସମୟରେ ସେ ଭାବପ୍ରବଣ ଥିବା ଭଳି ଦେଖାଯାଉଥିଲେ। ଏହାକୁ ନେଇ ଭାରତର ପୂର୍ବତନ ଅଫ-ସ୍ପିନର ମୁରଲୀ କାର୍ତ୍ତିକ ପ୍ରଶ୍ନ ଉଠାଇଥିଲେ। ୩୨ ବର୍ଷୀୟ ସିରାଜ ଦଳରୁ ବାଦ ପଡ଼ିବା ପରେ ଭାବପ୍ରବଣ ହୋଇପଡ଼ିଛନ୍ତି କି ବୋଲି ସେ ପଚାରିଥିଲେ।

ମୁରଲୀ କାର୍ତ୍ତିକ କହିଛନ୍ତି, ସେ କ’ଣ କାନ୍ଦୁଛନ୍ତି? କାରଣ ସେ ଜଣେ ଭାବପ୍ରବଣ ମଣିଷ। ନିଶ୍ଚିତ ଭାବେ ଏଭଳି ଘଟଣା ତାଙ୍କୁ ଦୁଃଖ ଦେଇଥିବ। କିଛି ଖେଳାଳି ଦଳରୁ ବାଦ ପଡ଼ିଲେ ମଧ୍ୟ ସାଧାରଣ ରହନ୍ତି। କିନ୍ତୁ ଆଉ କିଛି ଖେଳାଳି ଯେକୌଣସି ପରିସ୍ଥିତିରେ ଖେଳିବାକୁ ଚାହାନ୍ତି। ସେମାନଙ୍କ ପାଦରେ ଯନ୍ତ୍ରଣା ହେଉ କି ମୁଣ୍ଡବିନ୍ଧା, ସେମାନେ ଏହାକୁ ଖାତିର କରନ୍ତି ନାହିଁ। ସେମାନେ ନିଜର ସବୁକିଛି ଦେଇ ଖେଳନ୍ତି। ସିରାଜ ଠିକ ସେହିଭଳି ଜଣେ ଖେଳାଳି।

କାର୍ତ୍ତିକ ଆହୁରି କହିଛନ୍ତି, ବେଳେବେଳେ ଖେଳାଳି ନିଜ ଦୁଃଖକୁ ଲୁଚାଇ ରଖନ୍ତି। ତାଙ୍କୁ ଦିନିକିଆ ସିରିଜ୍‌ରୁ ମଧ୍ୟ ବାଦ ଦିଆଯାଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ତାଙ୍କୁ ବହୁତ ବିଳମ୍ବରେ ସୁଯୋଗ ମିଳିଥିଲା। ଏଭଳି ଘଟଣା ଯେକୌଣସି ଖେଳାଳିଙ୍କୁ ଗଭୀର ଭାବେ ଆଘାତ ଦେଇପାରେ। ଯଦି ଆପଣଙ୍କୁ ଲାଗୁଛି ଯେ ତାଙ୍କ ଫର୍ମ ଭଲ ନାହିଁ କିମ୍ବା ସେ ନେଟ୍ସରେ ଭଲ ବୋଲିଂ କରୁନାହାନ୍ତି, ତେବେ ତାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳରେ ସାମିଲ କରାଗଲା କାହିଁକି?

ସିରାଜ ଶେଷ ଥର ପାଇଁ ଅଗଷ୍ଟରେ ଭାରତର ଶ୍ରୀଲଙ୍କା ଗସ୍ତ ସମୟରେ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେହି ସିରିଜ୍‌ର ଦୁଇଟି ମ୍ୟାଚ୍‌ରେସେ ନିଜ ଲୟରେ ନଥିଲେ ଏବଂ ମାତ୍ର ୪ଟି ଉଇକେଟ ନେଇଥିଲେ। ଏହାପରେ ସେ ତିନୋଟି ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳିଥିଲେ। ରଣଜୀ ଟ୍ରଫିରେ ଦୁଇଥର ହାଇଦ୍ରାବାଦ ଦଳର ଅଧିନାୟକତ୍ୱ କରିଥିବା ବେଳେ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ଗୋଟିଏ ଇନିଂସ୍‌ରେ ୪ଟି ଉଇକେଟ ନେଇଥିଲେ।

 

Share