ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଜୟସ୍ବାଲ ବିନା ଖାତା ଖୋଲି ପ୍ୟାଭିଲିୟନ ଫେରିଛନ୍ତି। ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ଥିବାରୁ ତାଙ୍କ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟରେ ନ୍ୟୁଜିଲାଣ୍ଡ ଏ’ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ଏ’ର ଆରମ୍ଭ ଆଦୌ ଭଲ ରହି ନ ଥିଲା। ଇନିଂସର ପ୍ରଥମ ଓଭରରେ ହିଁ ଦଳକୁ ବଡ଼ ଝଟକା ଲାଗିଥିଲା। ଓପନର ଜୟସ୍ବାଲ ମାତ୍ର ୪ଟି ବଲ ଖେଳି ଶୂନରେ ଆଉଟ ହୋଇଥିଲେ।

ଜୟସ୍ବାଲଙ୍କ ଲଗାତାର ଖରାପ ପ୍ରଦର୍ଶନ ଭାରତୀୟ ଦଳର ଚିନ୍ତା ବଢ଼ାଇଛି। ଟେଷ୍ଟ କ୍ରିକେଟ୍‌ରେ ଭାରତର ଜଣେ ପ୍ରମୁଖ ଓପନର ଭାବେ ତାଙ୍କ ଉପରେ ଦଳର ଅନେକ ଆଶା ରହିଛି। ହେଲେ ନ୍ୟୁଜିଲାଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ସେ ନିଜ ବ୍ୟାଟିଂରେ ପ୍ରଭାବ ପକାଇବାରେ ବିଫଳ ହୋଇଛନ୍ତି। ଏହା ପୂର୍ବରୁ ଲିଙ୍କନ୍‌ରେ ଖେଳାଯାଇଥିବା ପ୍ରଥମ ଅନଅଫିସିଆଲ ଟେଷ୍ଟରେ ମଧ୍ୟ ଜସ୍ବୋଲଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ପ୍ରଥମ ଇନିଂସରେ ସେ ୪୫ଟି ବଲ ଖେଳି ମାତ୍ର ୧୫ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୯ଟି ବଲ୍‌ରୁ ମାତ୍ର ୫ ରନ କରିଥିଲେ। ଏହି ମ୍ୟାଚ ଶେଷରେ ଡ୍ର’ ରହିଥିଲା।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଗାମୀ ଟେଷ୍ଟ ସିରିଜ ନଭେମ୍ବର ୧୯ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ଜୟସ୍ବାଲ ଏହି ଦିନିକିଆ ସିରିଜ୍‌ର ଅଂଶ ନୁହନ୍ତି। ତେଣୁ ସେ ସିଧାସଳଖ ଟେଷ୍ଟ ସିରିଜ୍‌ରେ ଖେଳୁଥିବା ନଜର ଆସିବେ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ୨୦୨୫-୨୭ ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଭାରତ ପାଇଁ ଆଗାମୀ ଟେଷ୍ଟ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ସ୍ଥିତିରେ ଜୟସ୍ବାଲଙ୍କ ଫର୍ମକୁ ଫେରିବା ଭାରତୀୟ ଦଳ ପାଇଁ ବେଶ ଜରୁରୀ ହୋଇପଡ଼ିଛି।

Dharitri – Odisha’s No.1 Odia Daily

Share