ଟିମ୍‌ଇଣ୍ଡିଆର ଜବରଦସ୍ତ ପ୍ରତ୍ୟାବର୍ତ୍ତନ: ୧୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଦେଖିବାକୁ ପଡ଼ିଲା ଏମିତି ଦିନ

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟରମାନେ ଦୃଢ଼ ଓ ଆକ୍ରମଣାତ୍ମକ ଆରମ୍ଭ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସର ୩୬୮ ରନ୍‌ର ଜବାବରେ ଦିନ ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଛି। ଏବେ ଭାରତ ଘରୋଇ ଦଳଠାରୁ ୨୦୯ ରନ ପଛରେ ରହିଛି। ଷ୍ଟମ୍ପ୍ସ ବେଳକୁ କେଏଲ ରାହୁଲ ୫୨ ରନ ଏବଂ ଦେବଦତ୍ତ ପଡିକଲ ୧୬ ରନ କରି ଅପରାଜିତ ଅଛନ୍ତି।

ଭାରତୀୟ ଇନିଂସ ଆରମ୍ଭ କରିଥିବା ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରାରମ୍ଭିକ ସଫଳତାରୁ ବଞ୍ଚିତ ରଖିଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୧୩୦ ରନ୍‌ର ଦମଦାର ଭାଗୀଦାରି ଗଢ଼ିଥିଲେ। ଜୟସ୍ବାଲ ମାତ୍ର ୮୯ଟି ବଲ୍‌ରୁ ୮୫ ରନର୍‌ ଆକର୍ଷଣୀୟ ଇନିଂସ ଖେଳି ଆଉଟ ହୋଇଥିଲେ।

ଅନ୍ୟପଟେ ରାହୁଲ ନିଜର ଅର୍ଦ୍ଧଶତକ ପୂରଣ କରି ଦଳକୁ ମଜଭୁତ ସ୍ଥିତିରେ ରଖିଛନ୍ତି। ଉଭୟ ଭାରତୀୟ ଓପନର୍‌ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ମାଟିରେ ଗତ ୧୦ ବର୍ଷ ମଧ୍ୟରେ କୌଣସି ଅତିଥି ଦଳର ଉଭୟ ଓପନର୍‌ ଗୋଟିଏ ଟେଷ୍ଟ ଇନିଂସ୍‌ରେ ୫୦ରୁ ଅଧିକ ରନ କରିବାର ଏହା ପ୍ରଥମ ଘଟଣା। ଏହା ପୂର୍ବରୁ ୨୦୧୬ ନଭେମ୍ବରରେ ହାମିଲଟନ ଟେଷ୍ଟରେ ପାକିସ୍ତାନର ସାମି ଅସଲମ ଓ ଆଝାର ଅଲ୍ଲୀ ଏହି ସଫଳତା ହାସଲ କରିଥିଲେ।

ଏହା ପୂର୍ବରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ ବେଳକୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌ରେ ୫ ଉଇକେଟ ହରାଇ ୨୪୩ ରନ କରିଥିଲା। ଏହି ସ୍କୋର୍ରୁ ଆଗକୁ ବଢ଼ି ଦଳ ମୋଟ ୩୬୮ ରନ୍‌ରେ ଅଲଆଉଟ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍ସ ଗୋଟିଏ ପଟେ ଦୃଢ଼ ଭାବେ ବ୍ୟାଟିଂ କରି ଅପରାଜିତ ୧୭୫ ରନ କରିଥିବା ବେଳେ ଗ୍ଲେନ ଫିଲିପ୍ସ ୧୧୮ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ନେଇ ଜଶପ୍ରୀତ ବୁମ୍‌ରା ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଆକାଶ ଦୀପ ୩ ଜଣ ବ୍ୟାଟରଙ୍କୁ ପାଭିଲିୟନ ଫେରାଇଥିଲେ।

 

Dharitri – Odisha’s No.1 Odia Daily

 

Share