ବ୍ରିସ୍ବେନ,୮ା୧୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍ ବର୍ଷାରେ ଧୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ କେବଳ ୪.୫ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪.୫ ଓଭରରେ ବିନା ଉଇକେଟରେ ୫୨ ରନ୍ କରିଥିଲା। ଅଭିଷେକ ଶର୍ମା ୧୩ ବଲ୍ରେ ୨୩ (୧ ଲେଖାଏ ଚୌକା ଓ ଛକା) ଓ ଶୁବମନ ଗିଲ୍ ୧୬ ବଲ୍ରେ ୨୯(୬ ଚୌକା) ରନ୍ କରି ଅପରାଜିତ ରହିଥିଲେ। ଲଗାଣ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ଏହି ୫ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ୍କୁ ଭ୍ରମଣକାରୀ ଭାରତୀୟ ଦଳ ୨-୧ରେ ଜିତିନେଇଛି।
ସିରିଜ୍ର ପ୍ରଥମ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତିଥିବା ବେଳେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା। ସିରିଜ୍ରେ ସର୍ବାଧିକ ରନ୍ କରିଥିବା ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି।
ସିରିଜ୍ ବିଜୟ ସହ ଭାରତର ଅଷ୍ଟ୍ରେଲିଆ ଟୁର୍ ଶେଷ ହୋଇଛି। ଏଥିଯୋଗୁ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳର ଟି୨୦ ସିରିଜ୍ ଜିତିବା ଧାରା ଲାଗି ରହିଛି। ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ଟି୨୦ ସିରିଜ୍ ଜିତିବା ଧାରା ଜାରି ରହିଛି।

