Categories: ଖେଳ

ପ୍ରଶ୍ନ ଘେରରେ ଦ୍ରାବିଡ

ନୂଆଦିଲ୍ଲୀ,୧୫।୮: ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ କରିଛି ଟିମ୍‌ ଇଣ୍ଡିଆ। ଏହି ଗସ୍ତରେ ଦଳର ପ୍ରଦର୍ଶନ ସାଧାରଣ ଥିଲା। ଯେଉଁ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଗତ ବର୍ଷ ଟି୨୦ ଏବଂ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିପାରିଲା ନାହିଁ, ତାଠାରୁ ଭାରତ ପରାଜିତ ହୋଇଛି। ବିଗତ ଦିନ ଦେଖିଲେ ୨୦୧୭ ପରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଥର ଲାଗି ଦ୍ୱିପାକ୍ଷୀୟ ସିରିଜରେ ଭାରତକୁ ହରାଇଛି। ଏହାକୁ ନେଇ ଏବେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ।

ଯେବେଠାରୁ ସେ କୋଚ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ସେବେଠାରୁ ଦଳ ସଫଳତା କମ୍‌ ବିଫଳତାର ସ୍ବାଦ ଅଧିକ ଚାଖୁଛି।
୨୦୨୧ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ରବି ଶାସ୍ତ୍ରୀଙ୍କ କୋଚ୍‌ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏହାପରେ ଦ୍ରାବିଡ଼ ଭାରତୀୟ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଦଳ ଆଇସିସି ଟୁର୍ନାମେଣ୍ଟ ଜିତିବ ବୋଲି ଆଶା କରାଯାଉଥିଲା। ହେଲେ ଟ୍ରଫି ତ ଦୂରର କଥା, ଭାରତୀୟ ଟିମ୍‌ ଦ୍ୱିପାକ୍ଷୀୟ ସିରିଜରେ ହାରିବାରେ ଲାଗିଛି।

ଦ୍ରାବିଡ କୋଚ୍‌ ହେବା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହୋଇଥିଲା। ଟେଷ୍ଟ ଏବଂ ଦିନିକିଆରେ ପରାଜିତ ହେବା ଦ୍ରାବିଡଙ୍କ ପ୍ରଥମ ଅସଫଳତା ଥିଲା। ଏହାପରେ ଦଳ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ଭଳି ଅପେକ୍ଷାକୃତ କମ୍‌ ସଫଳ ଟିମ୍‌ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା।

ହେଲେ ଏସିଆ କପ୍‌ ଏବଂ ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ ଟିମ୍‌ ବିଫଳତାର ସ୍ବାଦ ପୁଣି ଚାଖିଥିଲା। ପରେ ଆଇସିସି ଟ୍ରଫି ଜିତିବାର ସ୍ବପ୍ନ ସ୍ବପ୍ନରେ ରହି ଯାଇଥିଲା। ସେହିଭଳି ଆଇପିଏଲ୍‌ ଶେଷ ହେବା ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିଥିଲା। ଏଥିରେ ମଧ୍ୟ ଦଳ ନିରାଶ ହୋଇଥିଲା।

ମୋଟ ଉପରେ ଦେଖିଲେ ଦ୍ରାବିଡଙ୍କ କାର୍ଯ୍ୟକାଳରେ ଟିମ୍‌ ଇଣ୍ଡିଆ ବିଜୟଠାରୁ ଅଧିକ ପରାଜିତ ହେଉଛି। ଏଥିଯୋଗୁ ତାଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ। ଆଗାମୀ ଦିନରେ ଦଳ ଘରୋଇ ମଇଦାନରେ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏଥିରୁ କ୍ରିକେଟ ପ୍ରଶଂସକଙ୍କୁ ବହୁତ ଆଶା ରହିଛି।

Share