Categories: ଖେଳ

ସିରିଜ ପୋଛିନେବା ପରେ ଏମିତି କହିଲେ ଅଧିନାୟକ ଧାଓ୍ବନ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୭: ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ବୁଧବାର ଖେଲାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାକୁ ୧୧୯ ରନ୍‌ରେ ଜିତି ସିରିଜକୁ ୩-୦ରେ ଜିତି ନେଇଥିଲା। ଏହି ବିଜୟ ପରେ ଅଧିନାୟକ ଧାଓ୍ବନ କହିଛନ୍ତି, ଆମର ଖେଳାଳି ଯୁବ ହେଲେ ହେଁ ଅନୁଭବୀ। ସିରିଜରେ ସେମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ଖରାପ ସମୟରୁ ବାହାରିବା କଳା ତାଙ୍କୁ ଭଲଭାବେ ଜଣା। ପୁରା ଟିମ୍‌ ଭଲ ପ୍ରଦର୍ଶନ କରିବା ପ୍ରମୁଖ କଥା। ଯେଉଁଭଳି ଶ୍ରେୟସ ଏବଂ ଅନ୍ୟ ଖେଳାଳି ଖେଳିଲେ ତାହା ପ୍ରଶଂସନୀୟ ଥିଲା। ମୁଁ ଦଳର ବୋଲରଙ୍କୁ ନେଇ ଗର୍ବ କରେ। ଆମେ ସିରିଜ ଜିତିଥିଲେ ହେଁ ମ୍ୟାଚ୍‌ରେ ନିଜର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିଥିଲୁ। ପ୍ରାରମ୍ଭରେ ମହମ୍ମଦ ସିରାଜ ଦୁଇଟି ଉଇକେଟ ନେଇଥିଲେ। ସେମାନଙ୍କ ବ୍ୟତିତ ଅକ୍ଷର, ଚହଲ, ଶାର୍ଦ୍ଦୁଳ ଆଦିଙ୍କୁ ବିଜୟର ଶ୍ରେୟ ଯାଉଛି।

ତେବେ ଧାଓ୍ବନ ତିନୋଟି ମ୍ୟାଚ୍‌ରେ ମୋଟ ୧୬୮ ରନ୍‌ କରିଥିଲେ। ଶୁଭମନ ଗିଲଙ୍କ ପରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ହେଉଛନ୍ତି ସେ। ଏବେ ଫର୍ମକୁ ଫେରିବା ଏବଂ ସିରିଜରେ ନିଜର ପ୍ରଦର୍ଶନକୁ ନେଇ ଧାଓ୍ବନ କହିଛନ୍ତି, ମୁଁ ନିଜ ଫର୍ମରେ ଖୁସି ଅଛି। କିଭଳି ୫୦କୁ ୧୦୦ କରିହେବ ତାହା ମୁଁ ଜାଣିଛି। ପ୍ରଥମ ମ୍ୟାଚ୍‌ରେ ୯୭ ରନ୍‌ କରିଥିଲି। ହେଲେ ଆଜି ବି ମୁଁ ଠିକ୍‌ ଥିଲା। ମୁଁ ଚ୍ୟାଲେଞ୍ଜ ନେଇ ରନ୍‌ ରେଟ୍‌ ଅଧିକ ରଖିବାକୁ ଚାହିଁଥିଲି। ହେଲେ ଉଇକେଟ ହରାଇଥିଲି ବୋଲି ସେ କହିଛନ୍ତି।

Share