Categories: ଖେଳ

ଶ୍ରୀଲଙ୍କା ଉପରେ ବିଜୟ ପରେ ପାକିସ୍ତାନକୁ ଫାଇଦା: ୩ନଂ ସ୍ଥାନକୁ ଉଠିଲା, ୪ର୍ଥରେ ଭାରତ

ଦୁବାଇ,୨୦।୭: ଗାଲେ ଟେଷ୍ଟରେ ବୁଧବାର ଶ୍ରୀଲଙ୍କାକୁ ପରାଜିତ କରିବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ପାକିସ୍ତାନ। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଦେଇଥିବା ୩୪୨ ରନର ଟାର୍ଗେଟକୁ ପାକିସ୍ତାନ ଶେଷ ଦିନରେ ହାସଲ କରି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ଏଥିସହ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବାର ସମ୍ଭାବନା ବୃଦ୍ଧି ପାଇଛି।

ଶ୍ରୀଲଙ୍କାକୁ ୪ ଉଇକେଟରେ ପରାସ୍ତ କରିବା ପରେ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ଫାଇଦା ମିଳିଛି। ଏହି ବିଜୟ ପରେ ଦଳ ୫୮.୩୩ ପ୍ରତିଶତ ସହ ତୃତୀୟ ସ୍ଥାନରେ ପହଞ୍ଚିଛି। ପାକିସ୍ତାନ ଉପରେ ଅଷ୍ଟ୍ରେଲିଆ ୭୦% ଓ ଦକ୍ଷିଣ ଆଫ୍ରିକା ୭୧.୪୩% ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆକୁ ହରାଇ ତାଲିକାର ୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ଏହି ପରାଜୟ ସହ ୬ଷ୍ଠ ସ୍ଥାନକୁ ଖସି ଯାଇଛି। ଦଳର ବିଜୟ ପ୍ରତିଶତ ମାତ୍ର ୪୮.୧୫% ରହିଛି।

ପାକିସ୍ତାନର ବିଜୟ ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ୫୨.୦୮% ଓ ୫ମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜର ବିଜୟ ପ୍ରତିଶତ ୫୦% ରହିଛି। ଆଗାମୀ ଦିନରେ ପାକିସ୍ତାନ ଦ୍ୱିତୀୟ ଟେଷ୍ଟ ଜିତିଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ନିକଟତର ହେବ। ସେହିପରି ଶ୍ରୀଲଙ୍କା ଯଦି ଦ୍ୱିତୀୟ ଟେଷ୍ଟ ଜିତେ ତେବେ ଦଳ ପୁଣିଥରେ ତୃତୀୟ ସ୍ଥାନ ହାସଲ କରିବାକୁ ସକ୍ଷମ ହେବ। ଅପରପକ୍ଷେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଇଂଲଣ୍ଡ, ୮ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ତ ଓ ୯ମ ସ୍ଥାନରେ ବାଂଲାଦେଶ ରହିଛନ୍ତି।

Share