Categories: ଖେଳ

ପାଣ୍ଡ୍ୟା ଟି୨୦, ଧାଓ୍ବନ ଦିନିକିଆ ଅଧିନାୟକ

ଆଡିଲେଡ୍‌, ୩୧ା୧୦: ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ସୋମବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସେଠାରେ ନଭେମ୍ବର ୧୮ରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ମନୋନୀତ କରାଯାଇଛି। ‘ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟ ଅଫ୍‌ ପ୍ଲେୟର୍ସ’ର ଅଂଶ ବିଶେଷ ସ୍ବରୂପ ଓପନର କେ.ଏଲ୍‌ ରାହୁଲ ଓ ଦୀନେଶ କାର୍ତ୍ତିକଙ୍କୁ ବିଶ୍ରାମ ଦିଆଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ଟୁର୍‌ରୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଲାଗି ଭେଟେରାନ ଶିଖର ଧାଓ୍ବନଙ୍କୁ ଅଧିନାୟକ କରାଯାଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଅଲରାଉଣ୍ଡର ଶାହବାଜ ଅହମ୍ମଦ ଓ ଦ୍ରୁତ ବୋଲର ଉମରନ ମଲିକଙ୍କୁ ମଧ୍ୟ ସାମିଲ କରାଯାଇଛି। ଓ୍ବେଲିଂଟନରେ ଟି୨୦ ବିଶ୍ୱକପ୍‌ ଶେଷ ହେବାର ୪ ଦିନ ପରେ ନଭେମ୍ବର ୧୮ରେ ଟି୨୦ ସିରିଜ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ ନଭେମ୍ବର ୨୦ରେ ମାଉଣ୍ଟ ମଙ୍ଗାନୁଇଠାରେ ଏବଂ ତୃତୀୟ ମ୍ୟାଚ ନଭେମ୍ବର ୨୨ରେ ନାପିଏରଠାରେ ଖେଳାଯିବ। ଦିନିକିଆ ସିରିଜ ନଭେମ୍ବର ୨୫ (ଅକ୍‌ଲାଣ୍ଡ)ରୁ ଆରମ୍ଭ ହେବ। ଅନ୍ୟ ଦୁଇଟି ମ୍ୟାଚ ନଭେମ୍ବର ୨୭ (ହାମିଲଟନ) ଓ ନଭେମ୍ବର ୩୦ (ଖ୍ରିଷ୍ଟଚର୍ଚ୍ଚ)ରେ ଖେଳାଯିବ।

ନ୍ୟୁଜିଲାଣ୍ଡ ଟି୨୦ ସିରିଜ ପାଇଁ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଷଭ ପନ୍ତ (ଉପଅଧିନାୟକ ଓ ଉଇକେଟକିପର), ଶୁବମନ ଗିଲ୍‌, ଇଶନ କିଶନ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ସଞ୍ଜୁ ସାମ୍‌ସନ (ଉଇକେଟକିପର), ଡବ୍ଲ୍ୟୁ. ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲ୍‌ଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଶଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍‌ରାନ ମଲିକ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ: ଶିଖର ଧାଓ୍ବନ (ଅଧିନାୟକ), ରିଷଭ ପନ୍ତ (ଉପଅଧିନାୟକ ଓ ଉଇକେଟକିପର), ଶୁବମନ ଗିଲ୍‌, ଦୀପ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ସଞ୍ଜୁ ସାମ୍‌ସନ (ଉଇକେଟକିପର) ଡବ୍ଲ୍ୟୁ. ସୁନ୍ଦର, ଶାର୍ଦ୍ଦୂଳ ଠାକୁର, ଶାହାବାଜ ଅହମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପ ଚହର, କୁଲଦୀପ ସେନ ଓ ଉମରାନ ମଲିକ।

Share