ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିନା କଂକ୍ରିଟ ପିଲରରେ ଥିବା ପୁରୁଣା କୋଠାର କାନ୍ଥ, ଛାତ ଓ ଅନ୍ୟାନ୍ୟ ଅଂଶରେ ଫାଟ ସୃଷ୍ଟି ହୋଇଥିବାବେଳେ ସେଗୁଡ଼ିକରେ କେବଳ ପ୍ଳାଷ୍ଟର କରାଯାଇ ଚୂନ ମରାଯାଇଛି। ଯେକୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ରହିଛି। ବର୍ଷା ଓ ପବନ ସମୟରେ ପିଲାମାନେ ଶ୍ରେଣୀଗୃହରେ ଥିବାବେଳେ ସେମାନଙ୍କ ସୁରକ୍ଷିତ ଫେରିବା ବାଟକୁ ଅଭିଭାବକମାନେ ଚାହିଁ ରହୁଛନ୍ତି ବୋଲି ଅଭିଭାବକ ବୁଲୁ ତ୍ରିପାଠୀ କହିଛନ୍ତି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜିତ ପାଟମାଝୀ କହିଛନ୍ତି, ୯୦ବର୍ଷର ଏହି ବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୦୯ ଜଣ ଛାତ୍ର ଥିଲେ। ଚଳିତବର୍ଷ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୨ରେ ପହଞ୍ଚତ୍ଛି। ବିଦ୍ୟାଳୟରେ ପିଇବା ପାଣି ଓ ଶୌଚାଳୟର ସୁବିଧା ରହିଛି। ହେଲେ ୯ଟି ଶ୍ରେଣୀଗୃହ ସମ୍ପୂର୍ଣ୍ଣଭାବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୁରୁଣା ଶ୍ରେଣୀଗୃହ ଭାଙ୍ଗି ନୂତନ ଭାବେ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ ସହ ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ପୂର୍ବରୁ ବିଦ୍ୟାଳୟକୁ କଣ୍ଟିଜେନ୍ସି ବାବଦକୁ ବାର୍ଷିକ ୩ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲା। ପିଏମ୍ଶ୍ରୀ ବିଦ୍ୟାଳୟ ଘୋଷଣା ହେବା ପରଠାରୁ ବର୍ଷକୁ ୫ଲକ୍ଷ ଟଙ୍କା ଅନୁଦାନ ଆସୁଛି। ଏହି ଅର୍ଥକୁ ଲାଇବ୍ରେରି, ଇଣ୍ଟରନେଟ, ଡିଜି ବୋର୍ଡ, କମ୍ପ୍ୟୁଟର, ଲାବରେଟୋରି, ସ୍ମାର୍ଟ କ୍ଲାସ୍ରୁମ୍, ଖେଳପଡ଼ିଆ, ବାର୍ଷିକ ଉତ୍ସବ ଆଦିରେ ଖର୍ଚ୍ଚ କରାଯାଉଛି। କିନ୍ତୁ ନୂତନ ଶ୍ରେଣୀଗୃହ ନିର୍ମାଣ କିମ୍ବା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ଅନୁଦାନ ମିଳୁ ନ ଥିବାରୁ ଶ୍ରେଣୀଗୃହ ନିର୍ମାଣ କରାଯାଇପାରୁ ନାହିଁ ବୋଲି ପ୍ରଧାନଶିକ୍ଷକ ପାଟମାଝୀ କହିଛନ୍ତି। ଉକ୍ତ ବିଦ୍ୟାଳୟରୁ ପାଠ ସାରି ସରକାରୀ ଚାକିରି କରି ପୁରାତନ ଛାତ୍ରମାନେ ଚାକିରିରୁ ଅବସର ନେଲେଣି ଅଥଚ ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକର ଅବସ୍ଥା ସୁଧୁରୁନାହିଁ। ଫଳରେ ଛାତ୍ରଙ୍କ ସୁରକ୍ଷା ନେଇ ଅଭିଭାବକ ଚିନ୍ତାରେ ରହୁଛନ୍ତି। ବିଦ୍ୟାଳୟର ଶ୍ରେଣୀଗୃହ ଭଳି ମୌଳିକ ଭିତ୍ତିଭୂମିର ଉନ୍ନତି ହେଲେ ହିଁ ବିଦ୍ୟାର୍ଥୀଙ୍କୁ ଏକ ସୁରକ୍ଷିତ ଓ ଉନ୍ନତ ଶିକ୍ଷା ପରିବେଶ ମିଳିପାରିବ ବୋଲି ଅଭିଭାବକ ଓ ଅଞ୍ଚଳବାସୀ କହିଛନ୍ତି। ଶିକ୍ଷା ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ମୋ ସ୍କୁଲ ଅଭିଯାନ କମିଟି ସଭାପତି ଏନ. ରାଜୁ ରାଓ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁରଙ୍କୁ ପଚାରିବାରୁ ସେ କହିଲେ, ହବାକ୍ ଉଚ୍ଚବିଦ୍ୟାଳୟର ବିପଦସଙ୍କୁଳ ପୁରୁଣା ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବର୍ତ୍ତମାନ କୌଣସି ପଦକ୍ଷେପ ନିଆଯାଇନାହିଁ। ଯେହେତୁ ଏହା ଏକ ବଡ଼ ପ୍ରକଳ୍ପ ତେଣୁ ପୁରୁଣା ଶ୍ରେଣୀଗୃହଗୁଡ଼ିକ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ଲିଖିତ ଦରଖାସ୍ତ ଦେଲେ ତାହାକୁ ଅନୁମୋଦନ କରି ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବି। ପରେ ସେଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ ହେବ। ଉକ୍ତ ବିଦ୍ୟାଳୟକୁ କଣ୍ଟିଜେନ୍ସି ବାବଦକୁ ବିଭିନ୍ନ ସମୟରେ ଯେପରି ଅନୁଦାନ ପ୍ରଦାନ କରାଯିବା କଥା ତାହା କରାଯାଉଛି ବୋଲି କହଁର କହିଛନ୍ତି।