ଦୁଇ କଲେଜରେ ଅଧ୍ୟାପନା ମହଙ୍ଗା ପଡ଼ିଲା: ଦରମା ପ୍ରତ୍ୟାହାର ନିର୍ଦ୍ଦେଶ ଦେଲେ ଆର୍‌ଡିଇ

ଯାଜପୁର ଅଫିସ,୧୬।୧୧: ଯାଜପୁର ଜିଲାରେ ଜଣେ ଅଧ୍ୟାପକ ଦୁଇଟି କଲେଜରେ ଚଞ୍ଚକତାପୂର୍ଣ୍ଣ ନିଯୁକ୍ତି ଅଭିଯୋଗ ହେବା ପରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ(ଆରଡିଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆରଡିଇ ତାଙ୍କ ନିର୍ଦ୍ଦେଶ ସଂଖ୍ୟା ୭୨୫୫/୨୯ା୧୦ା୨୦୨୦ରେ ଦରମା ବାବଦକୁ ପ୍ରଦାନ କରାଯାଇଥିବା ସହାୟକ ଅନୁଦାନ(ଗ୍ରାଣ୍ଟ-ଇନ୍‌-ଏଡ୍‌)କୁ ପ୍ରତ୍ୟାହାର କରିବାକୁ ଦର୍ଶାଯାଇଛି। କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଯାଜପୁର ଜିଲା ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ କଲେଜର ଇତିହାସ ବିଭାଗ ଅଧ୍ୟାପକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ସୁଧୀର କୁମାର ରାଉତଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି।
ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଆ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ କଲେଜରେ ରାଉତ ୧୯୯୨ରୁ ଅଧ୍ୟାପକ ଥାଇ ସାହାସପୁର ମୁକ୍ତାଦେବୀ ସଂସ୍କୃତ କଲେଜରେ ୧୨ା୭ା୧୯୯୭ରୁ ଅଧ୍ୟାପକ ପରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏହି ମର୍ମରେ ସମ୍ପୃକ୍ତ ଅଞ୍ଚଳବାସୀ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରୁ ଜଣାପଡ଼ିଛି ଯେ, ମୁକ୍ତାଦେବୀ ସଂସ୍କୃତ କଲେଜର ପରିଚାଳନା କମିଟିର ଅଧିବେଶନ ନଂ-୫ରେ ଚିଠି ସଂଖ୍ୟା ୩/୧୨ା୭ା୧୯୯୭ରେ ରାଉତଙ୍କୁ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ୧୭ା୭ା୧୯୯୭ରେ ଉକ୍ତ ସଂସ୍କୃତ କଲେଜରେ ଯୋଗଦାନ କରିଥିଲେ ଏବଂ ୧୩ା୮ା୨୦୦୮ରେ ରିଲିଭ୍‌ ହୋଇଥିଲେ। ଲୋକଙ୍କ ଅଭିଯୋଗ ସମ୍ପର୍କରେ ବିଧାୟିକା ଦାସ ତାଙ୍କ ଡାଏରୀ
ସଂଖ୍ୟା ୩୬୮/୨୧ା୧ା୨୦୨୦ରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ହୃଷୀକେଶ ମହାନ୍ତି ତାଙ୍କ ପତ୍ରସଂଖ୍ୟା ୬୨୮୪/୧୦ା୨ା୨୦୨୦ରେ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆରଡିଇ ପକ୍ଷରୁ ପତ୍ରସଂଖ୍ୟା ୪୬୪୯/୧୬ା୭ା୨୦୨୦ରେ ଅଧ୍ୟାପକ ରାଉତଙ୍କୁ ଅଭିଯୋଗ ଉପରେ ୧ ମାସ ମଧ୍ୟରେ ଉତ୍ତର ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।