ଜରାଜୀର୍ଣ୍ଣ ଘରେ ଶିକ୍ଷାଦାନ

ପବିତ୍ରନଗର,୧୯।୪(ଡି.ଏନ.ଏ)

ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାୟ ୩ ବର୍ଷରୁ ଊଦ୍ଧର୍‌ବ ହେବ ନିର୍ମାଣ ସରିଛି। ଶିଶୁମାନଙ୍କ ନିମନ୍ତେ ସୁନ୍ଦର ଭାବେ ଚିତ୍ରଣ କରାଯିବା ସହିତ ପାଇଖାନା ଓ ପାଣି ଆଦି ସମସ୍ତ ସୁବିଧା ରଖାଯାଇଛି। କିନ୍ତୁ ଏଜାବତ ଏହା କାର୍ଯ୍ୟକ୍ଷମ କରା ନ ଯାଇ ପୁରୁଣା ଜରାଜୀର୍ଣ୍ଣ ଘରେ ପିଲାଙ୍କ ଶିକ୍ଷାଦାନ ଚାଲିବା ଅସନ୍ତୋଷର କାରଣ ହୋଇଛି।
ପ୍ରକାଶ ଯେ, ପୁରୁଣା ଅଙ୍ଗନଓ୍ବାଡି ଘର ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ନୂତନ ଘର ନିମନ୍ତେ ସରକାର ଅନୁଦାନ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବାର ଇତିମଧ୍ୟରେ ୩ବର୍ଷ ବିତିଯାଇଛି। ହେଲେ ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଏହି ନୂତନ ଘର ବିଭାଗକୁ ହସ୍ତାନ୍ତର ହୋଇପାରି ନାହିଁ। ଏପରି କି ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାର ତାଙ୍କ ଫାଇନାଲ ବିଲ୍‌ ପାଇ ନ ଥିବାରୁ ଘର ହସ୍ତାନ୍ତର ହୋଇ ନ ଥିବା ସୂଚନା ମିଳିଛି। ବିଭାଗୀୟ ଅବହେଳାରୁ ଏଭଳି ଜନହିତକର ପ୍ରକଳ୍ପ କାମରେ ନ ଲାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତୁରନ୍ତ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ କଣିହାଁ ବିଡିଓଙ୍କୁ ଯୋଗାଯୋଗ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।