ସ୍ମାର୍ଟ ହୋଇପାରୁନି ଶିକ୍ଷାଦାନ

ବଇଣ୍ଡା,୩।୧୨(ଡି.ଏନ.ଏ.) ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ ଚାଲିଛି। ଭିତ୍ତିଭୂମି, ଶିକ୍ଷାଦାନକୁ ସ୍ମାର୍ଟ କରାଯିବାର ବ୍ୟବସ୍ଥା ହେଉଛି। ଇତିମଧ୍ୟରେ ଅନୁଗୋଳ ଜିଲାର ୯୦ଟି ବିଦ୍ୟାଳୟକୁ ସ୍ମାର୍ଟ ବୋଲି ଘୋଷଣା କରାଯାଇସାରିଛି। ହେଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିଲେ ସ୍ମାର୍ଟ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ କେମିତି ସମ୍ଭବ ତାହାକୁ ନେଇ ଅଭିଭାବକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ରାମଦେଓ ଉଚ୍ଚ ବିଦ୍ୟାଳୟ ଏହାର ଏକ ଉଦାହରଣ। ସ୍ମାର୍ଟ ଘୋଷିତ ଏହି ଶିକ୍ଷାନୁଷ୍ଠାନରେ ଦୀର୍ଘଦିନ ହେବ ୫ ଜଣ ଶିକ୍ଷକ ନାହାନ୍ତି। ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ସ୍ମାର୍ଟ ଶିକ୍ଷାଦାନ ଏଠାରେ ହୋଇପାରୁ ନ ଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଶୀଘ୍ର ଶିକ୍ଷକ ନିଯୁକ୍ତି ଦେବାକୁ ବଇଣ୍ଡା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ, ସଚିବ, ଆଠମଲ୍ଲିକ ବିଧାୟକ, ଅନୁଗୋଳ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗପତ୍ର ମାଧ୍ୟମରେ ଦାବି କରାଯାଇଛି।
ଗ୍ରାମବାସୀ ଦର୍ଶାଇଛନ୍ତି, ୧୯୬୨ ମସିହାରେ ଗ୍ରାମବାସୀ ଏହି ବିଦ୍ୟାଳୟ ସ୍ଥାପନ କରିଥିଲେ। ଏଠାରେ ୬ଷ୍ଠ ରୁ ଦଶମ ଶ୍ରେଣୀ ମଧ୍ୟରେ ୨୭୯ ପିଲା ପାଠ ପଢ଼ୁଛନ୍ତି। ମୋଟ ୧୪ ଜଣ ଶିକ୍ଷକ ରହିବାର ବ୍ୟବସ୍ଥା ଥିବାବେଳେ ଦୀର୍ଘଦିନ ହେବ ପ୍ରଧାନ ଶିକ୍ଷକ ପଦବୀ ସହ କଳାରେ ୨, ବିଜ୍ଞାନରେ ୧, ଖେଳ ବିଭାଗରେ ୧ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨ଟି ପିଅନ ପଦବୀରେ ମଧ୍ୟ କେହି ନାହାନ୍ତି। ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ୨୦ ମେ ୨୦୨୦ ଓ ୧୫ ଫେବୃୟାରୀ ୨୦୨୧ରେ ଗ୍ରାମବାସୀ ଶିକ୍ଷକ ନିଯୁକ୍ତି ପାଇଁ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ ଉକ୍ତ ସ୍କୁଲର ଭିତ୍ତିଭୂମିରେ ଉନ୍ନତି କରାଯାଇ ସ୍ମାର୍ଟ ବୋଲି ଘୋଷଣା କରାଯାଇଛି। ହେଲେ ଶିକ୍ଷକ ନିଯୁକ୍ତି ନେଇ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ବିଦ୍ୟାଳୟରେ ଏକ ଛାତ୍ରାବାସ ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମର ସୁଫଳ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରୀ ଚାତମ୍ବା କହିଛନ୍ତି, ଶିକ୍ଷକ ଅଭାବ ଯୋଗୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।