ସ୍ତ୍ରୀଙ୍କ ପାଇଁ ପ୍ରଚାର କରି ଶିକ୍ଷକ ନିଲମ୍ବିତ

ବଲାଙ୍ଗୀର ଅଫିସ, ୧୫ା୨:ସରକାରୀ କର୍ମଚାରୀ ହୋଇ ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଭାଗନେବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ପୁଇଁତଲା ଥାନା ଲୋକାପଡ଼ା ଗ୍ରାମର ସମ୍ପୃକ୍ତ ପ୍ରାଥମିକ ସ୍କୁଲ ସହକାରୀ ଶିକ୍ଷକ ତରଣୀସେନ୍‌ ପଧାନଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ପଧାନଙ୍କ ସ୍ତ୍ରୀ ଲିପିକା ଜିଲା ପରିଷଦ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲିପିକାଙ୍କ ପାଇଁ ତରଣୀସେନ୍‌ ପ୍ରଚାର ଅଭିଯାନରେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା। ଜଣେ ସରକାରୀ କର୍ମଚାରୀ ହୋଇ ଶିକ୍ଷକ ପଧାନ କିଭଳି ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ଜିଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ବଲାଙ୍ଗୀର ଉପଜିଲାପାଳ ଲମ୍ବୋଦର ଧରୁଆ ଏହାର ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ସମୟରେ ଶିକ୍ଷକ ଜଣଙ୍କ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା।