ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ କିଛି ଗ୍ରାମ ଗୁଡିକ ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ରହିଛି । ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡିକ ରାସ୍ତା, ପାନୀୟ ଜଳ, ମୋବାଇଲ ସେବାରୁ ବଞ୍ଚିତ ଥିବା ବେଳେ ଗ୍ରାମ ଗୁଡିକରେ ରହିଛି ପ୍ରାଥମିକ ବିଦ୍ୟାଳୟ । ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ଗଡ଼ିବା ପାଇଁ ଖୋଲିଥିଲା ବିଦ୍ୟାଳୟ । ହେଲେ କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବା ପରେ ଉକ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରି ନିକଟରେ ଥିବା ବିଦ୍ୟାଳୟରେ ସାମିଲ କରାଯାଇଛି ।
ହେଲେ ଉକ୍ତ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକମାନେ ବିଦ୍ୟାଳୟ ଠାରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିବାକୁ ହେଲେ ଗୋଟିଏ ଦିନ ବିତିଯାଏ । କାମ ସାରି ବିଦ୍ୟାଳୟକୁ ଫେରିବା ବେଳେ ଯାନବାହାନ ସୁବିଧା ନଥିବାରୁ ଶିକ୍ଷକମାନେ ମୋହନାରେ ରାତ୍ରୀଯାପନ କରିବାକୁ ବାଧ୍ୟ ହେଉଥିଲେ । ଏଥିସହ ପ୍ରାଥମିକ ଶିକ୍ଷକ ସଂଘର ବୈଠକ କରିବା ପାଇଁ ଜାଗା ଅଭାବରୁ ବୈଠକ କରିବା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକ ଭବନ ନିର୍ମାଣ ପାଇଁ ଶିକ୍ଷକ ସଂଘ ପକ୍ଷରୁ ବହୁବାର ଦାବୀ କରିଥିଲେ ।
ଏହାପରେ ପ୍ରଶାସନ ପକ୍ଷରୁ ମୋହନା ବ୍ଲକ ସମ୍ମୁଖରେ ଶିକ୍ଷକ ସଂଘକୁ ଏକ ଜମି ସରକାର ଯୋଗାଇଥିଲେ । ଉକ୍ତ ଜମିରେ ୨୦୦୧ ମସିହା ଫେବୃଆରୀ ୭ରେ ଶିକ୍ଷକ ଭବନ ନିର୍ମାଣ ହୋଇଥିଲା । ଏହି ଶିକ୍ଷକ ଭବନ କୋଠା ନିର୍ମାଣ ପାଇଁ ତତକାଳୀନ ମୋହନା ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରୟଣ ପାତ୍ର, ବିଡ଼ିଓ କୈଳାସ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷ ରାମ ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟ ଶିବ ଶଙ୍କର ସାହୁ, ନର୍ମଦା ଦଳେଇ ଓ ଶିକ୍ଷକ ନେତା ମନୋଜ କୁମାର ପଟ୍ଟନାୟକଙ୍କ ପ୍ରଚ଼େଷ୍ଟାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯlଇଥିଲା । ପରେ ଶିକ୍ଷକ ଭବନ କୋଠା ନିର୍ମାଣ ହେଲା ଆଉ ପ୍ରାଥମିକ ଶିକ୍ଷକ ସଂଘର ସ୍ବପ୍ନ ପୂରଣ ହେଇଥିଲା । ହେଲେ ଏହି କୋଠା ନିର୍ମାଣ ହୋଇ ଦୀର୍ଘ ୨୫ ବର୍ଷ ବିତିଲାଣି କିନ୍ତୁ ଆଜିକୁ ପ୍ରାୟ ୧୦ବର୍ଷ ହେଲା ସେହି କୋଠା ଶିକ୍ଷକ ସଂଘର କାର୍ଯ୍ୟରେ ଲାଗୁନି। ଯାହା ଦ୍ୱାରା ଏହି କୋଠା ଏବେ ଭୁତ କୋଠି ପାଲଟିଛି ।
କୋଠାଟି ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଛି । କୋଠାରେ ବିଦ୍ୟୁତ ସଂଯୋଗ ରହିଛି । ତାହାର ମାସିକ ବିଲ କିଏ ପୈଠ କରୁଛି ତାହାର ତଥ୍ୟ ମଧ୍ୟ ମିଳୁନି। କିନ୍ତୁ ଏବେ ଏହି କୋଠା କିଛି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ବରିଷ୍ଠ ଶିକ୍ଷକ । ଏଠାରେ ରହୁଥିବା ଜନୈକ ଶିକ୍ଷକ ଏହି କୋଠାକୁ କବଜାରେ ରଖିଥିବା ବେଳେ ବହୁ ଅଭିଯୋଗ ସତ୍ୱେ ଉକ୍ତ କୋଠାକୁ ଶିକ୍ଷକ ସଂଘକୁ ହସ୍ତାନ୍ତର କରୁନାହାଁନ୍ତି । ଯାହାକୁ ନେଇ ଶିକ୍ଷକ ସଂଘ ବହୁବାର ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ସୁଫଳ ମିଳୁନି । ଅପରପକ୍ଷେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ଏଯାବତ କୌଣସି ଲିଖିତ ଅଭିଯୋଗ ଆସିନଥିବା କହିଛନ୍ତି । ଯଦି ତୁରନ୍ତ ଉକ୍ତ କୋଠାକୁ ହସ୍ତାନ୍ତର କରାନଯାଏ ତେବେ ଆଇନର ଆଶ୍ରୟ ନିଆଯିବ ବୋଲି ଶିକ୍ଷକ ସଂଘର ସଭାପତି କବିରାଜ ମଲ୍ଲିକ କହିଛନ୍ତି ।


