ଗିରଫ ପରେ ଜେଲ ଗଲେ ଶିକ୍ଷକ

ଭବାନୀପାଟଣା,୭।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମାଲିଗଁା ପଞ୍ଚାୟତରେ ଗତ ନଭେମ୍ଭର ୧୧ରେ ମାସିକ ପଞ୍ଚାୟତ ବୈଠକ ସାରି ସ୍ଥାନୀୟ ୱାର୍ଡମେମ୍ବରମାନେ ଫେରୁଥିବା ବେଳେ ବାଟରେ ଶିକ୍ଷକ ଅରୁଣ ନାଏକ ସେମାନଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ୱାର୍ଡମେମ୍ବର ଓ ଜନସାଧାରଣ ଶିକ୍ଷକ ଅରୁଣ ନାମରେ ଥୁଆମୂଳ ରାମପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ସମ୍ପୃକ୍ତ ଶିକ୍ଷକ ଅରୁଣ ଫେରାର ହୋଇଯାଇଥିଲେ। ଏ ନେଇ ଗୁରୁବାର ସ୍ଥାନୀୟ ପଞ୍ଚାୟତ ୧୧ଟି ଗ୍ରାମର ଲୋକେ ଜିଲାପାଳ, ଏସ୍‌ପି ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଓ ଏସପି ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜୟପାଟଣା ଓ ଥୁଆମୂଳ ରାମପୁର ପୋଲିସକୁ ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାତିରେ ଉଭୟ ଥାନା ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ସମ୍ପୃକ୍ତ ଶିକ୍ଷକ ଅରୁଣ ନାଏକଙ୍କୁ ଠାବ କରାଯାଇଥିଲା। ଶୁକ୍ରବାର ଥୁଆମୂଳ ରାମପୁର ପୋଲିସ ଶିକ୍ଷକ ଅରୁଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଜାମିନ ମଞ୍ଜୁର ନ ହେବାରୁ ଶିକ୍ଷକ ଅରୁଣଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଏ ନେଇ ଥୁଆମୂଳ ରାମପୁର ଥାନାରେ ଏକ ମାମଲା (ନଂ.୧୯୩/୨୨) ରୁଜୁ ହୋଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଥୁଆମୂଳ ରାମପୁର ଥାନାରେ ଅନେକ ମାମଲା ରହିଥିବା ସୂଚନା ମିଳିଛି।