ଶିକ୍ଷକଙ୍କୁ ପିଟିଲେ ଶିକ୍ଷୟିତ୍ରୀ

କାଲିମେଳା,୩୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପଗ୍ରେଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଥିବା ସମସ୍ୟା ସମାଧାନ କରିବାକୁ ଆସିଥିବା ଏବିଇଓ ସିଆରସିସି ଓ ବିଦ୍ୟାଳୟ ସଭାପତିଙ୍କ ସମ୍ମୁଖରେ ଗଣ୍ଡୋଗଳ ହୋଇଛି। ଜଣେ ଶିକ୍ଷୟିତ୍ରୀ ତାଙ୍କ ସହକର୍ମୀ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଛନ୍ତି। ଏହାକୁ ନେଇ ଶିକ୍ଷୟିତ୍ରୀ ଜଣକ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କ ନାମରେ ଏମଭି-୭୯ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ବିଶାଳ ସିଂହ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଖବରରୁ ଜଣାପଡିଛି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଇଲା ସେନ୍‌ଙ୍କୁ ସହକର୍ମୀମାନେ ହଇରାଣ କରୁଥିବା ନେଇ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ବୁଧବାର ଏହାର ତଦନ୍ତ ପାଇଁ ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରୀ, ସିଆର୍‌ସିସି ସୁଭାଷ ମଣ୍ଡଳ, ଏସ୍‌ଏମ୍‌ସି ସଭାପତି ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ସହକାରୀ ଶିକ୍ଷୟିତ୍ରୀ ଇଲାଙ୍କୁ ଡାକି ଅଧିକାରୀମାନେ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଥିଲେ। ସେତିକିବେଳେ ଶିକ୍ଷୟିତ୍ରୀ ଇଲା ଅଧିକାରୀଙ୍କ ସମୁଖରେ ଶିକ୍ଷକ ବେହେରାଙ୍କୁ ଗାଳିଗୁଲଜ କରି ମାଡ ମାରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି। ୩ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଏପରି ଆଚରଣକୁ ଛାତ୍ରୀଛାତ୍ର, ଅଭିଭାବକ ଓ ଗ୍ରାମବାସୀ ନାପସନ୍ଦ କରିଛନ୍ତି।

ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ, ସିଆର୍‌ସିସି ଏବଂ ବିଇଓଙ୍କୁ ଦାବିପତ୍ର ଦେଇଛନ୍ତି। ଘଟଣା ସମ୍ପକର୍ର୍ରେ ଏବିଇଓ ଅସିତ ମିସ୍ତ୍ରୀ ଓ ଚିନ୍ତାହରଣ ମଧୁଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣା ସତ୍ୟ। କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସେମାନେ ପ୍ରକାଶ କରିଛନ୍ତି। ଏସ୍‌ଏମ୍‌ସି ସଭାପତି ସୁମନ୍ତ ରାୟ କହିଛନ୍ତି, ଶିକ୍ଷୟିତ୍ରୀ ରାଗିଯାଇ ଯାହା କଲେ ତାହା ଠିକ କରିନାହାନ୍ତି। ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେବା ଆବଶ୍ୟକ। ମାଡ ଖାଇଥିବା ଶିକ୍ଷକ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ସାର୍‌ମାନେ ତଦନ୍ତ ପାଇଁ ମୋତେ ରୁମକୁ ଡାକିଥିଲେ। ମୁଁ ଯାଇ ତଦନ୍ତ ପ୍ରକୋଷ୍ଠର ଏକ ଚେୟାରରେ ବସିଥିବାବେଳେ ଶିକ୍ଷୟିତ୍ରୀ ଇଲା ଅଧିକାରୀମାନଙ୍କ ଉପସ୍ଥିତିରେ ତାଙ୍କୁ ଚାପୁଡା ମାରିଥିଲେ। ଏସଂକ୍ରାନ୍ତରେ ମାଡ ମାରିଥିବା ଶିକ୍ଷୟିତ୍ରୀଙ୍କୁ ଇଲାଙ୍କୁ ପଚାରିବାକୁ ଫୋନ (ନଂ ୯୮୬୧୬୩୮୩୬୯) ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫଳରେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।