ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ତୁରନ୍ତ ଦୁଇଜଣ ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦାବି କରି ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ କେସିଙ୍ଗା ବିଇଓଙ୍କ ନିକଟରେ ଅଭିଯୋଗ କରାଯାଇଛି।

୧୯୫୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି ଦୀର୍ଘ ୬୮ ବର୍ଷ ଧରି ଅଞ୍ଚଳର ଏକ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ପ୍ରଥମେ ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିଲା। ପରବର୍ତ୍ତୀ ସମୟରେ ଅଷ୍ଟମ ଶ୍ରେଣୀ ସହ ଶିଶୁ ବାଟିକା ଶ୍ରେଣୀକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବର୍ତ୍ତମାନ ବିଦ୍ୟାଳୟରେ ୧୪୧ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଶିକ୍ଷାଦାନ ପାଇଁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ, ଚାରିଜଣ ଶିକ୍ଷୟିତ୍ରୀ ଓ ଜଣେ ପୁରୁଷ ସହକାରୀ ଶିକ୍ଷକଙ୍କୁ ମିଶାଇ ମୋଟ ୬ ଜଣ ଶିକ୍ଷକ ଥିଲେ।

ତେବେ ଜଣେ ଶିକ୍ଷୟିତ୍ରୀ ‘ନୋ ୱାର୍କ, ନୋ ପେ’ ଆଧାରରେ ଏକ ବର୍ଷ ପାଇଁ ଦୀର୍ଘ ଛୁଟିରେ ଯାଇଛନ୍ତି। ଅନ୍ୟପଟେ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ କେସିଙ୍ଗା କ୍ଲଷ୍ଟର ଏନଏସିରେ ସିଆର୍‌ସିସି ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ବର୍ତ୍ତମାନ ଦୁଇଟି ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହାର ସିଧାସଳଖ ପ୍ରଭାବ ବିଦ୍ୟାଳୟର ପାଠପଢ଼ା ଉପରେ ପଡ଼ୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠିକ ଭାବେ ହୋଇପାରୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

କେବଳ ଶିକ୍ଷକ ଅଭାବ ନୁହେଁ, ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ଦୟନୀୟ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ପୁରାତନ ବିଦ୍ୟାଳୟ ହୋଇଥିବାରୁ ଅନେକ ଶ୍ରେଣୀଗୃହ ଭଙ୍ଗାଦଦରା ଅବସ୍ଥାରେ ରହିଛି। ବର୍ଷାଦିନେ ଆଜବେଷ୍ଟସ ଛାତରୁ ପାଣି ଗଳିବା ଯୋଗୁ ଛାତ୍ରୀଛାତ୍ର ପାଠ ପଢ଼ିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନ ଥିବା ଅଭିଯୋଗ ହୋଇଛି।

ଗୋଟିଏ ପଟେ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଥିବା ବେଳେ ଅନ୍ୟପଟେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ତୁରନ୍ତ ଦୁଇଜଣ ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦେବା ସହ ବିଦ୍ୟାଳୟର ଭିତ୍ତିଭୂମି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପଦ ଛୁରାଙ୍କୁ ପଚାରିବାରୁ, ଘଟଣାର ତଦନ୍ତ କରି ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share