ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଶିକ୍ଷକ ନିଯୁକ୍ତି ଦାବିରେ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି।
ରାୟଗଡ଼ା ଜିଲା ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡି. ପେଣ୍ଡିଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ସୋମବାର ଗ୍ରାମବାସୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଗୁଡା ରୁପମାଝିଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପୂର୍ବରୁ ବିଦ୍ୟାଳୟରେ ତିନିଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ। ଫଳରେ ପିଲାମାନଙ୍କ ପାଠପଢ଼ା ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଅନ୍ୟତ୍ର ବଦଳି ହେବା ପରେ ବର୍ତ୍ତମାନ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି।
ଜଣେ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ସରକାରୀ କାର୍ଯ୍ୟ ସହ ପାଞ୍ଚଟି ଶ୍ରେଣୀର ପାଠପଢ଼ା ଦାୟିତ୍ୱ ତୁଲାଇବାକୁ ପଡ଼ୁଛି। ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସି ନିଜ କର୍ତ୍ତବ୍ୟ ପାଳନ କରୁଥିଲେ ମଧ୍ୟ ଏକାସାଙ୍ଗରେ ସମସ୍ତ ଶ୍ରେଣୀରେ ଶିକ୍ଷାଦାନ କରିବା ସମ୍ଭବ ହେଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଏହାର ତୁରନ୍ତ ସମାଧାନ କରିବା ସହ ଖୁବ୍ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଶିକ୍ଷା ବିଭାଗକୁ ଅନୁରୋଧ କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପକାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏହି ଦାବିପତ୍ର ପ୍ରଦାନ ସମୟରେ ସୁଶୀଳା ବିଡ଼ିକା, ପବିତ୍ର ଲିମା, ଜଗନ୍ନାଥ ଭତ୍ରା, ଭାଗ୍ୟବତୀ ବିଡ଼ିକା, ସୁକାନ୍ତି ବିଡ଼ିକାଙ୍କ ସମେତ ବହୁ ମହିଳା ଓ ପୁରୁଷ ଗ୍ରାମବାସୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି ଯେ, ଗ୍ରାମବାସୀଙ୍କ ଦାବି ଯୁକ୍ତିଯୁକ୍ତ। ଖୁବ୍ଶୀଘ୍ର ଏହି ବିଦ୍ୟାଳୟକୁ ଜଣେ ଶିକ୍ଷକ ନିଯୁକ୍ତି ଦିଆଯିବ। ତେଣୁ ଶିକ୍ଷା ବିଭାଗ ପକ୍ଷରୁ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି।