ପାଟନା,୩।୯: ବିହାରର ବକ୍ସର ଜିଲାରୁ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା। ଡୁମରାଓ ପ୍ରଖଣ୍ଡର ଦୁଇଜଣ ଶିକ୍ଷକ ପ୍ରାୟ ୧୨ ଜଣ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ସହ ସେମାନଙ୍କ ଭିଡିଓ ଭାଇରାଲ୍ କରିବା ନେଇ ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ଘେରି ମାଡ଼ ମାରିଥିବା ଜଣାପଡ଼ିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ କୃଷ୍ଣ ବ୍ରହ୍ମ ଥାନା ପୋଲିସ ଦୁଇ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି। ନାବାଳିକାଙ୍କ ସହ ଜଡ଼ିତ ଥିବାରୁ POCSO ଆକ୍ଟ ସମେତ ଅନ୍ୟାନ୍ୟ ଗୁରୁତର ଧାରାରେ ମାମଲା ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ପ୍ରାୟ ତିନି ଦିନ ପୂର୍ବରୁ ଘଟଣା ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ପରିବାର ଓ ସ୍ଥାନୀୟ ଲୋକ ଏହି ଘଟଣା ବିଷୟରେ ଜାଣିଥିଲେ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଗତ କିଛି ମାସ ଧରି ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଘଟଣାର ଭିଡିଓ ରେକର୍ଡ କରୁଥିଲେ। ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସ୍କୁଲରେ ପହଞ୍ଚି ଦୁଇ ଶିକ୍ଷକଙ୍କୁ ଘେରି ଦେଇଥିଲେ ଏବଂ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା। ଏହାପରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲା ଶିକ୍ଷା ବିଭାଗ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ସସ୍ପେଣ୍ଡ କରିଛି।
ବକ୍ସର ଏସ୍ପି ଶୁଭମ ଆର୍ଯ୍ୟ ଏବଂ ପ୍ରଭାରୀ ଡିଏସ୍ପି ସମୀର କୁମାର ସିଂହଙ୍କ ଅନୁଯାୟୀ, ଏହି ଘଟଣାରେ FIR ରୁଜୁ ହୋଇଛି। ଭାଇରାଲ୍ ଭିଡିଓ ଏବଂ ପରିବାର ସଦସ୍ୟଙ୍କ ବୟାନକୁ ଆଧାର କରି POCSO ଆକ୍ଟ ସମେତ ଗୁରୁତର ଧାରାରେ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ମାମଲାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।