ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନବରଙ୍ଗପୁରସ୍ଥିତ ପିଏମ୍ ଶ୍ରୀ ନୋଡାଲ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ପୂରବୀ ପରିଡ଼ା ଜିଲାର ଶାରୀରିକ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଲାଭ କରିବେ। ଆସନ୍ତା ୫ ତାରିଖରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ନିଜର ଚାକିରି କାଳ ମଧ୍ୟରେ ପୂରବୀ ଅନେକ ଛାତ୍ରୀଛାତ୍ରଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଜିଲାର ବହୁ ଛାତ୍ରୀଛାତ୍ର ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ବିଦ୍ୟାଳୟ ତଥା ନବରଙ୍ଗପୁର ଜିଲାର ସୁନାମ ବୃଦ୍ଧି କରିଛନ୍ତି। ଏପରିକି ରାଜ୍ୟ ଦଳ ସହ ଜାତୀୟ ସ୍ତରରେ ମଧ୍ୟ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ପାଇଁ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ସମେତ ଜିଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘର କର୍ମକର୍ତ୍ତା, ସହକର୍ମୀ ଓ ଶୁଭେଚ୍ଛୁମାନେ ପୂରବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

