ଲୋଇସିଂହା,୩।୬(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଛି। ଗତ ମେ ୩୧ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ୨ ଜଣ ଗଣିତ ଓ ବିଜ୍ଞାନ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଅବସର ପରେ ବିଦ୍ୟାଳୟରେ ଆଉ ପିଜିଟି ଶିକ୍ଷକ ନାହାଁନ୍ତି। ଏହି ପଦବୀଗୁଡ଼ିକ ପୂରଣ ହୋଇ ନ ଥିବାରୁ ଚିନ୍ତାରେ ପଡିଯାଇଛନ୍ତି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ।
ସୂଚନା ଅନୁଯାୟୀ, ୧୯୮୬ ମସିହାରେ କନ୍ଦାଜୁରୀ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ବିଦ୍ୟାଳୟରେ ୮ଜଣ ଶିକ୍ଷକ ଓ ଆବଶ୍ୟକ କର୍ମଚାରୀ ଥିଲେ ା ଅବସର ଯୋଗୁ ବିଦ୍ୟାଳୟରେ ଏବେ ୨ ଜଣ ଶିକ୍ଷକ ଓ ଜଣେ ବିଜ୍ଞାନ ସହାୟକ ଅଛନ୍ତି। ଗତ ରବିବାର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପଣ୍ଡା ଅବସର ନେଇଛନ୍ତି। ସେହିପରି ଗତବର୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୀଷଣ କର୍ଣ୍ଣ ଓ ସଂସ୍କୃତ ଶିକ୍ଷକ ଅବସର ନେଇଥିଲେ। ଚଳିତ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୭୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଅବସର ପରେ ପଦବୀ ପୂରଣ ହେଉ ନ ଥିବାରୁ ବିଦ୍ୟାଳୟରେ ଦିନକୁ ଦିନ ଶିକ୍ଷକ ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି ା ତେବେ ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ର ଓ ଅଭିବାକମାନେ ବିଦ୍ୟାଳୟରୁ ମୁହଁମୋଡି ଦେଉଥିବା ଅଭିଯୋଗ ହେଉଛି। ଆଉ ଅଳ୍ପଦିନ ପରେ ଗ୍ରୀଷ୍ମ ଅବକାଶ ସରିଲା ପରେ ସ୍କୁଲ ଖୋଲିବ। ଶିକ୍ଷକ ଅଭାବ ଯୋଗୁ ୨ଜଣ ଶିକ୍ଷକଙ୍କ ଉପରେ ସମସ୍ତ ଶ୍ରେଣୀର ପାଠପଢା ସାଙ୍ଗକୁ ପ୍ରଶାସନିକ କାର୍ଯ୍ୟର ଅତିରିକ୍ତ ଚାପ ବଢିବ। ଫଳରେ ନିୟମିତ ପାଠପଢା ବ୍ୟାହତ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଅଭିଭାବକ। ଅପରପକ୍ଷେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ନ ଥିବାରୁ ବିଦ୍ୟାଳୟର ଛାତ୍ରୀଛାତ୍ର ଗୁଣାମତ୍କ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ା ଏଥିପ୍ରତି ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ା
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷାଧିକାରୀ (ବିଇଓ) ଶ୍ୟାମ ମେହେରଙ୍କୁ ପଚାରିବାରୁ ବୁଧବାର ନୂତନ ବିଇଓ ଯୋଗଦାନ କରିବେ। ଏହା ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରି ଡେପୁଟେଶନରେ ଶିକ୍ଷକ ଦେବା ପାଇଁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।