ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି

ନୀଳଗିରି, ୫ା୪(ସ୍ବ.ପ୍ର.): ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ନକଲି ସାର୍ଟିଫିକେଟ ଧର ପଗଡ଼ ଚାଲିଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରିରେ ନକଲି ସାର୍ଟିଫିକେଟ ଦେଇ ୩ଜଣ ଶିକ୍ଷୟତ୍ରୀଶିକ୍ଷକ ଚାକିରି କରିଥିବା ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ପୂର୍ବରୁ ଗଣଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ମାଟ୍ରିକ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଯୁକ୍ତ ୨ ପାସ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଏହି ୩ଜଣ ବେତନଟୀ ଜବାହର ନବୋଦୟରେ ଯୁକ୍ତ ୨ ପରୀକ୍ଷା ଦେଇ ଫେଲ୍‌ ହୋଇଥିଲେ। ପରେ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପରିପୂର୍ଣ୍ଣ କରିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରି ପଶ୍ଚିମବଙ୍ଗ ରାଜ୍ୟର ସୋନାରପୁରସ୍ଥିତ ରାମକୃଷ୍ଣ ବିଦ୍ୟାଳୟ ପୀଠରୁ ନକଲି ସାର୍ଟିଫିକେଟ୍‌ ହାସଲ କରି ବିଭାଗକୁ ଦେଇଥିଲେ। ପୂର୍ବରୁ ଏହି ଘଟଣା ବିଇଓଙ୍କ ନଜରରେ ଥିବା ବେଳେ ଉକ୍ତ ଶିକ୍ଷୟିତ୍ରୀଶିକ୍ଷକମାନେ ଏବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଶିକ୍ଷକମାନେ ପାସ୍‌ କରୁଥିବା କଥା କହୁଥିବା ବେଳେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।
ଏହି ଘଟଣାକୁ ନେଇ ନୀଳଗିରି ବିଇଓ ସ୍ନିଗ୍ଧା ପଣ୍ଡାଙ୍କ ମତାମତ ନେବାରୁ ସେ କହିଥିଲେ କି, ଉକ୍ତ ତିନିଜଣଙ୍କ ମଧ୍ୟରୁ ଜଣଙ୍କର ସାର୍ଟିଫିକେଟ୍‌ ପୂର୍ବରୁ ତଦନ୍ତ କରି ବାଲେଶ୍ୱର ଡିଇଓଙ୍କୁ ରିପୋର୍ଟ ଦିଆଯାଇଛି। ଅନ୍ୟ ଦୁଇ ଜଣଙ୍କ ଘଟଣା ବିଷୟରେ ତଦନ୍ତ ଖୁବ୍‌ଶୀଘ୍ର କରାଯିବ ବୋଲି ସୂଚନା ଦେଇଥିଲେ।