ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଶିକ୍ଷକ ଗିରଫ

ବୋରିଗୁମ୍ମା, ୧୧।୪ (ଡି.ଏନ୍‌.ଏ.): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିନେବା ଅଭିଯୋଗରେ କୋରାପୁଟ ଜିଲା ବିସିଂହପୁର ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ରତ୍ନଗିରି ଗ୍ରାମର ସୁବ୍ରତ ତୁଷାର ରଞ୍ଜନ ମଲ୍ଲିକ। ଅଭିଯୁକ୍ତ ଜଣଙ୍କ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳର ଏକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

ବିସିଂହପୁର ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ଶିକ୍ଷକଙ୍କ ସହ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର ଶେଷଦିନରେ ଛାତ୍ରୀ ଜଣଙ୍କ ପରୀକ୍ଷା କେନ୍ଦ୍ରରୁ ଘରକୁ ଫେରି ନ ଥିଲେ। ଏହାପରେ ଘର ଲୋକ ଏ ନେଇ ବି ସିଂହପୁର ଥାନାରେ ଏତଲା ଦେଇଥିଲେ। ବି ସିଂହପୁର ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ବିତ କୁମାର ସ୍ବାଇଁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୋମବାର ପୋଲିସ ଉଭୟଙ୍କୁ କୋରାପୁଟରୁ ଧରିଥିଲା। ପୋଲିସ ଅଭିଯୁକ୍ତଙ୍କୁ (ମାମଲା ନଂ.୪୦/୨୩) ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍‌ଆଇ ସୁରେନ୍ଦ୍ର ନାଥ ସେଠୀ କହିଛନ୍ତି।