ଛାତ୍ରୀଙ୍କ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ

ଉଦଳା,୨୪ା୮(ସନ୍ତୋଷ କୁମାର ବାଚ୍ଛିନୀ)ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ରାଢୋସ୍ଥିତ ଲୁଇପା ଡିଗ୍ରୀ କଲେଜର ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ପରୀକ୍ଷାରେ ଅନୁପସ୍ଥିତ ଜଣେ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖି ଗିରଫ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୨୫୫/୨୩) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ଚାଲିଥିଲା ବେଳେ ଅଧ୍ୟାପିକା ତୁଳିକା ଅନୁପସ୍ଥିତ ଥିବା ଜଣେ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖି ଦେଇଥିଲେ। ଏହା ସହିତ ଉକ୍ତ ଖାତାରେ ପରୀକ୍ଷା ନିୟନ୍ତ୍ରକଙ୍କ ମିଛ ଦସ୍ତଖତ ମଧ୍ୟ ମାରିଥିଲେ। ଏହା ଜାଣିବା ପରେ କଲେଜ ପ୍ରିନ୍ସିପାଲ ଗୌରାଙ୍ଗ ମହାପାତ୍ର ସମ୍ପୃକ୍ତ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନୋଟିସ ପାଇବା ପରେ ଅଧ୍ୟାପିକା ଜଣକ ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯାଇ ଗାଳିଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ପ୍ରିନ୍ସିପାଲ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଅଧ୍ୟାପିକା ତୁଳିକାଙ୍କୁ କୋର୍ଟଚାଲାଣ କରିଛି। ଉତ୍ତର ଖାତା ମଧ୍ୟ ପୋଲିସ ଜବତ କରିଛି।
ଅନ୍ୟପକ୍ଷରେ ପ୍ରିନ୍ସିପାଲ ଓ ସମ୍ପୃକ୍ତ ଅଧ୍ୟାପିକାଙ୍କ ଏକ ଅଡିଓ ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। କଲେଜ ପ୍ରିନ୍ସିପାଲ ମହାପାତ୍ର ଅଧ୍ୟାପିକାଙ୍କୁ ଫୋନ କରି ନିରୋଳା ସ୍ଥାନରେ ଦେଖା କରିବାକୁ ଡାକୁଥିବା, ଅଧ୍ୟାପିକା ଜଣକ କଲେଜ ଗଲେ କଥା ହେବେ ବୋଲି କହିବାରୁ ପ୍ରିନ୍ସିପାଲ କଲେଜରେ କଥା ହୋଇ ହେବ ନାହିଁ ବୋଲି କହୁଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି। ଅଧ୍ୟାପିକା ଜଣକ ନିରୋଳା ସ୍ଥାନରେ ଭେଟିବାକୁ ମନା କରିବାରୁ ପ୍ରିନ୍ସିପାଲ ତାଙ୍କ ଘରକୁ ଆସିବାକୁ କହୁଛନ୍ତି। ଏହି ଅଡିଓରେ ସମ୍ପୃକ୍ତ ଅଧ୍ୟାପିକାଙ୍କ ପ୍ରତି ପ୍ରିନ୍ସିପାଲଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ପ୍ରିନ୍ସିପାଲ ମହାପାତ୍ରଙ୍କୁ ପଚାରିବାରୁ ସେ ଅଧ୍ୟାପିକାଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କହିଛନ୍ତି। ନିରୋଳା ସ୍ଥାନକୁ ଡାକିବା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।